ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ସ୍ନାତକୋତ୍ତର ଶିକ୍ଷା ବିଭାଗର ବାର୍ଷିକୋତ୍ସବ ‘ଅମୃତମ୍ ସ୍ତୃତେ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗର ବାର୍ଷିକୋତ୍ସବ ‘ଅମୃତମସ୍ତୃତେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଂପୂର୍ଣ୍ଣ ଦିନିକିଆ କାର୍ଯ୍ୟକ୍ରମଟି ଆଲୁମିନି ମିଟ୍, ଆଲୁମିନି କଲୋକ୍ୱିମ୍ ଏବଂ ବିଭାଗର ବାର୍ଷିକୋତ୍ସବ-୨୦୨୪ କୁ ନେଇ ପ୍ରସ୍ତୁତ କରାଯାଇଥିଲା ଓ ବିଶ୍ବବିଦ୍ୟାଳୟର ପୂରାତନ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନଟି ବିଭାଗ ମୁଖ୍ଯ ପ୍ରଫେସର ଡ଼କ୍ଟର ଜ୍ୟୋତି ଶଙ୍କର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିଲା। ଏଥିସହ ପୁରାତନ ଛାତ୍ର ସଂସଦର ସଂଯୋଜକ ପ୍ରଫେସର ଡ଼କ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ, ପୁରାତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଲକ୍ଷ୍ମୀନାରାୟଣ ନାୟକ ପ୍ରମୁଖ ଯୋଗଦେଇ ନିଜର ଉଦବୋଧନ ଦେଇଥିଲେ। ଏଥିସହିତ ବିଭାଗର ପୁରାତନ ଛାତ୍ର ଡ଼କ୍ଟର ରାମଚନ୍ଦ୍ର ମାଝି ଓ ଲକ୍ଷ୍ମୀନାରାୟଣ ନାୟକ ବିଭାଗର ଉନ୍ନତିକରଣ ଓ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ବିବିଧ ଆଲୋଚନା କରିଥିଲେ। ଏଥିରେ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନ ତଥା ବିଭାଗର ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଏହି ଅବସରରେ ବିଶେଷ ଅତିଥି ଭାବରେ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ସି ଏସ ନନ୍ଦ, ମୁଖ୍ଯବକ୍ତା ରୂପେ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର ଯୋଗ ଦେଇଥିଲେ। ସ୍ନାତକୋତ୍ତର ଶିକ୍ଷା ବିଭାଗ ମୂଖ୍ଯ ପ୍ରଫେସର ଡ଼କ୍ଟର ଜ୍ୟୋତି ଶଙ୍କର ପ୍ରଧାନ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ପ୍ରଫେସର ଡ଼କ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ, ଜଳକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରି ସର୍ବଦା ପ୍ରଗତିଶୀଳ ବା ପ୍ରବାହମାନ ଜୀବନ ଗଠନ କରାଯାଉ ତଥା ଆଗ୍ରହ, ସ୍ପୃହା, ଲକ୍ଷ୍ଯ ତଥା ଉଦ୍ୟମ ଦ୍ବାରା ଜୀବନରେ ସବୁ ସମ୍ଭବ ହୋଇପାରିବ। ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବାରେ ସଫଳତା ଲାଭ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମର ବିଶେଷ ଅତିଥି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ବିଦ୍ୟାର୍ଥି ଜୀବନର ମୂଳ ଲକ୍ଷ୍ଯ ଆନନ୍ଦ, ସ୍ବାଧୀନତା ଓ ଜିଜ୍ଞାସା ଭିତରେ ଲୁଚି ରହିଥାଏ ବୋଲି ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ଜଣେ ଜ୍ଞାନ ଆହରଣ କରିବା ସକାଶେ ଜିଜ୍ଞାସୁ ହେବା ଆବଶ୍ୟକ ଓ ବିଦ୍ୟା ଗ୍ରହଣ ସହ ନୈତିକ ମୂଲ୍ୟବୋଧର ସମିଶ୍ରଣ ରହିବାର ଆବଶ୍ୟକ ରହିଛି। ଆଚରଣ ଓ ବଚନର ମାର୍ଜିତ ରୂପ ବ୍ୟକ୍ତିଗତ ବିକାଶ ତଥା ସାମାଜିକ ବିକାଶରେ ସହାୟକ ହୁଏ ବୋଲି ଅଭିବ୍ୟକ୍ତ କରିଥିଲେ। ଏଥିସହ ମୁଖ୍ଯ ବକ୍ତା ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର, ସୃଜନ ପ୍ରବୃତ୍ତିକୁ ନେଇ ଭବିଷ୍ୟତ ଗଠନ କରନ୍ତୁ କହି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ଓ ନୂତନ ଉଦ୍ଭାବନମୂଳକ ଚିନ୍ତାଧାରା ନେଇ ପାଠ ପଢିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ଶିକ୍ଷା ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ପ୍ରତିମା ପ୍ରଧାନ ସଂଚାଳନ କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ। ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.