ସମିତି ସଭ୍ୟଙ୍କ ଅଜାଣତରେ ଚାଲିଛି ଗୁର୍ଜିମୁଣ୍ଡା ସିସି ରୋଡ଼; କାମକୁ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମିତି ସଭ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମିତି ସଭ୍ୟ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବିଷୟରେ ଜାଣିବା ସହ ତଦାରଖ କରିବାର ନିୟମ ରହିଛି। କିନ୍ତୁ କେସିଙ୍ଗା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବ୍ଲକର କୁଣ୍ଡାବନ୍ଧ ପଞ୍ଚାୟତ ଗୁର୍ଜିମୁଣ୍ଡା ଗାଁରେ ଚାଲିଛି ଏକ ସିସି ରୋଡ଼। ଗୁର୍ଜିମୁଣ୍ଡା ଗାଁ ସ୍କୁଲ ଠାରୁ ମାଉଲି ଗୁଡ଼ି ପର୍ଯ୍ୟନ୍ତ ହେବାକୁ ଥିବା ଏହି ସିସି ରୋଡ଼ ପାଇଁ ସିଏଫସି ଫଣ୍ଡରୁ ୧ ଲକ୍ଷ ୫ ହଜାର ଓ ଏସଏଫସି ଫଣ୍ଡରୁ ୧ ଲକ୍ଷ ୨ ହଜାର ଅନୁଦାନ ଆସିଥିବା କୁହାଯାଉଛି। ବର୍ତ୍ତମାନ ଏହି କାମରେ ମେଟାଲ ପଡ଼ି ସାରିଛି କିନ୍ତୁ ସୂଚନା ଫଳକ ଲାଗି ନାହିଁ। ଏସମ୍ପର୍କରେ କୁଣ୍ଡିବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ କିଛି ଜାଣିନଥିବା କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଏହି କାମ ସଂପର୍କରେ ଶ୍ରୀ ପଟ୍ଟନାୟକ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଓ ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେମାନେ ଲେ-ଆଉଟ ଦେଇନଥିବା କହିଛନ୍ତି। ଏହି ପରେ ସମିତି ସଭ୍ୟ ଶ୍ରୀ ପଟ୍ଟନାୟକ ଏଇ, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କୁ ଗୁର୍ଜିମୁଣ୍ଡାର ସିସି ରୋଡ଼ ବିଷୟରେ ପଚିରିବାରୁ ସମସ୍ତେ ଏହି କାମ ବିଷୟରେ ଜାଣି ନାହାନ୍ତି ବୋଲି କହିଥିଲେ। ଯଦି ବିଭାଗୀୟ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷ କାମ ବିଷୟରେ ଜାଣି ନାହାନ୍ତି ତେବେ ଏଠାରେ କାର୍ଯ୍ୟ ହେଉଛି କିପରି ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମିତି ସଭ୍ୟଙ୍କୁ ନଜଣାଇ ଗୁର୍ଜିମୁଣ୍ଡା ଗାଁର ଜଣେ ଲୋକଙ୍କୁ ଏହି କାମ ଦିଆଯାଇଛି ଓ କାମ ଆରମ୍ଭ କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ସମିତି ସଭ୍ୟ ମନୋଜ ପଟ୍ଟନାୟକ କହିଛନ୍ତି ଯେ, ବ୍ଲକ ଅଧ୍ୟକ୍ଷ କିଛି ଜାଣିନଥିବା କହୁଥିଲେ ମଧ୍ୟ ସେ ହିଁ ଏହି କାମ ଗୁର୍ଜିମୁଣ୍ଡାର ଜଣେ ଲୋକଙ୍କୁ ଦେଇଛନ୍ତି, ନହେଲେ କାମ କିପରି ଆରମ୍ଭ ହୋଇଥାନ୍ତା। ସବୁ ଗାଁରେ କାମ ହେଉ କିନ୍ତୁ ସ୍ଥାନୀୟ ସମିତି ସଭ୍ୟଙ୍କୁ ମଧ୍ୟ ସଂପୃକ୍ତ କାର୍ଯ୍ୟ ବିଷୟରେ ସୂଚନା ଦିଆଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏପରି ଭାବେ ବ୍ଲକର ୨୬ ଗୋଟି ପଞ୍ଚାୟତରେ ମନମୁଖି ଭାବେ କାମ ଚାଲିଥିବା ଅଭିଯୋଗ ହେଉଛି। କୁଣ୍ଡାବନ୍ଧ ସମିତି ସଭ୍ୟ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ସିକେରପଡା ସିସି ରୋଡ଼ କାମ ସମୟରେ ବ୍ଲକ ଅଧ୍ୟକ୍ଷ ବିଲକୁ ଆଠମାସ ଧରି ଅଟକାଇ ହଇରାଣ କରିଥିଲେ। ଡୁମେରମୁଣ୍ଡା ସ୍କୁଲ ପାଇଁ ଆସିଥିବା ଫଣ୍ଡକୁ ବିଦ୍ୟାଳୟ ପରିଚାଳନା ସମିତି କରିବା ପାଇଁ ଚାହିଁଥିବାବେଳେ ସେହି କାମ ଅନ୍ୟ ଜଣକୁ ଦିଆଯାଇଥିବାରୁ ଏହି କାମ କଥା ଥାନା ପର୍ଯ୍ୟନ୍ତ ଯାଇ ଅଟକି ରହିଛି। ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି। ଏପଟେ ବ୍ଲକ ଅଧ୍ୟକ୍ଷ ସମିତି ସଭ୍ୟ ମାନଙ୍କ ଅଜଣାତରେ କାମ ବଣ୍ଟନ କରୁଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏସମ୍ପର୍କରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.