ବିଜେଡି ରାଜ୍ୟ ସମ୍ପାଦକଙ୍କ ଇସ୍ତଫା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବିଜେଡି ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ (ଭୈରବ) ବିଜେଡି ଦଳରୁ ଆଜି ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟ ସମ୍ପାଦକ ପଦବୀରୁ ଇସ୍ତଫା ସେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି। ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ମେଲ ଜରିଆରେ ପ୍ରେରଣ କରିଥିବା ସୂଚନା ଦେଇଛନ୍ତି। ସରୋଜ ସାହୁ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। ସେ ଖେଳ ଜରିଆରେ ମଧ୍ୟ ଅଂଚଳରେ ଅନେକ ସୁନାମ ଅର୍ଜନ କରିଛନ୍ତି। ବର୍ତ୍ତମାନର ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ଦାଇତ୍ୱ ତୁଲାଉଥିବା ସରୋଜ ସାହୁ ପୂର୍ବରୁ ଓସିଏର ଉପ ସଭାପତି ରହି ସାରିଛନ୍ତି। ଏହା ସହିତ ଟିମ ଇଣ୍ଡିଆ ଦଳର ମେନେଜର ଭାବେ ମଧ୍ୟ ସେ ଦାଇତ୍ୱ ତୁଲାଇ ନିଜ ପାଇଁ ଏବଂ ନୂଆପଡା ମାଟି ପାଇଁ ଗର୍ବ ଆଣିଛନ୍ତି। କଂଗ୍ରେସର ଭେଟେରାନ ନେତା ଭୈରବ ସାହୁ ୧୦ ବର୍ଷ ଯୁବ କଂଗ୍ରେସ ସଭାପତି, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ, ୪ ବର୍ଷ ଜିଲ୍ଲା କଂଗ୍ରେସ ସଭାପତି, ୨୦୧୩ ମସିହାରେ ନୂତନ ଭାବେ ଗଢି ଉଠିଥିବା ନୂଆପଡା ଏନଏସିରେ କଂଗ୍ରେସ ପାର୍ଟି ଅଧକ୍ଷା ବିଜୟୀ କରିବାରେ ଏବଂ ୨୦୨୩ରେ ସ୍ୱାଧୀନ ପ୍ରାର୍ଥୀ ଆଦମ ଖାନଙ୍କୁ ସମର୍ଥନ କରି ନୂଆପଡା ଏନଏସିର ଅଧକ୍ଷ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨ ଥରର ବିଜେଡି ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟରତ ସରୋଜ ସାହୁ କିଛି ଦିନ ତଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲଲିଆଙ୍କୁ ବିରୋଧ କରି ସାମ୍ୱାଦିକ ସମ୍ମିଳନୀ, ଶୋଭାଯାତ୍ରା, ବିକ୍ଷୋଭ କରିବା ସହିତ ନୂଆପଡା ବନ୍ଦ ପାଳନ କରିଥିଲେ। ତଥାପି ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ହାଇକମାଣ୍ଡ ତାଙ୍କୁ ବିଜେଡି ଟିକେଟ ଦେଇଥିଲେ। ତେଣୁ ସରୋଜ ସାହୁ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ଲୋକ ମୋ ସହିତ ଅଛନ୍ତି। ଆଗାମୀ ଦିନରେ କୌଣସି ବିଷୟ ଉପରେ ସ୍ଥିର କରି ନାହିଁ। ଯଦି କୌଣସି ପଦକ୍ଷେପ ଗ୍ରହଣ କରିବି ତାହେଲେ ନିଶ୍ଚିତ ରୂପରେ ଜଣାଇବି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.