ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଦପଡାଠାରେ ରବିବାର ବିଏଲ୍ଓ ଡ୍ୟୁଟି କରୁଥିବା ସମୟରେ ଜଣେ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ମୁଗୁନାପଦର ଗ୍ରାମର ମହାଦେବ ବାଗ। ସେ ଡୁଡୁକାଠେଙ୍ଗା ୟୁଜିଏମ୍ଇ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଶିକ୍ଷକ ମହାଦେବ ଆଜି ସକାଳ ୧୦.୩୦ ସମୟରେ ବନ୍ଦପଡାରେ ବିଏଲ୍ଓ ଡ୍ୟୁଟି କରୁଥିଲେ। ତେବେ ହଠାତ୍ ଅସୁସ୍ଥତା ଅନୁଭବ କରି ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମହାଦେବଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି। ଶିକ୍ଷକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଡାକ୍ତରଖାନାରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ଧର୍ମଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା ସମେତ ଶିକ୍ଷକ ମାନେ ପହଞ୍ଚି ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତ ଶିକ୍ଷକ ମହାଦେବଙ୍କ ସ୍ତ୍ରୀ କୁମୁଦିନୀ ବାଗ ସମେତ ୩ ଝିଅ ଓ ଗୋଟିଏ ପୁଅ ପରିବାରରେ ରହିଥିବା ଜଣାପଡିଛି।