କେନ୍ଦ୍ର ସାହିତ୍ୟ ଅକାଦେମିର ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ବାର୍ତ୍ତା/ କୋଲକାତା: କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ବାରା ନିର୍ମିତ ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ବୃତ୍ତଚିତ୍ରଟି ବିଶିଷ୍ଟ ମଣିପୁରୀ ଲେଖକ ଖୁମନ ପ୍ରକାଶ ସିଂହଙ୍କ ଉପରେ ଆଧାରିତ। ଆଜି ଇମ୍ଫାଲଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ୧୫ତମ ମଣିପୁର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ମଣିପୁରର ରାଜ୍ୟପାଳ ସୁଶ୍ରୀ ଅନୁସୁଇୟା ଉଇକେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ଅକାଦେମିକୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଶ୍ରେଷ୍ଠ ଜୀବନୀ / କଳା ଏବଂ ସଂସ୍କୃତି ଚଳଚ୍ଚିତ୍ର” ବିଭାଗରେ ମିଳିଥିବା ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ ଶ୍ରୀନିବାସରାଓ। ସଚିବ ସାହିତ୍ୟ ଏକାଡେମୀ। ମଣିପୁର ସରକାରଙ୍କ ମୁଖ୍ୟ ଶାସନ ସଚିବ ଡକ୍ଟର ବିନୀତ ଯୋଶୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସୂଚନାଯୋଗ୍ୟ ଯେ ‘ଖୁମନ ପ୍ରକାଶ ସିଂ’ ଶୀର୍ଷକ ଜୀବନୀ ମୂଳକ ବୃତ୍ତଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅରିବମ ଶ୍ୟାମ ଶର୍ମା। ପୂର୍ବରୁ ଏହାକୁ ୨୦୨୩ ବର୍ଷର ଶ୍ରେଷ୍ଠ ଜୀବନୀ ବୃତ୍ତଚିତ୍ର ଘୋଷଣା କରାଯାଇଥିଲା। ଖୁମନ ପ୍ରକାଶ ସିଂ ବିଂଶ ଶତାବ୍ଦୀର ମଣିପୁରୀ ଲେଖକମାନଙ୍କ ମଧ୍ୟରୁ ଅନ୍ୟତମ। ସାହିତ୍ୟ ଅକାଦେମିର ଅଭିଲେଖାଗାର ପ୍ରକଳ୍ପରେ ବିଶିଷ୍ଟ ଭାରତୀୟ ଲେଖକ, କବି ଏବଂ ବିଦ୍ବାନମାନଙ୍କ ଉପରେ ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଥାଏ ଏବଂ ଏପର୍ଯ୍ୟନ୍ତ ୧୭୨ଟି ବୃତ୍ତଚିତ୍ର ପ୍ରସ୍ତୁତ ହୋଇସାରିଛି। ଭାରତୀୟ ଲେଖକମାନଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ କରି ସାହିତ୍ୟ ଅକାଦେମି ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.