କଳାହାଣ୍ଡି/ ଓଡ଼ିଆ ବାର୍ତ୍ତା (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡରିବନ କ୍ଲବ ଆନୁକୂଲ୍ୟରେ ଏକ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀର କିଶୋର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ମୁଖ୍ୟବକ୍ତା ଭାବେ କର୍ତ୍ତବ୍ୟ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ରାଜେଶ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସଞ୍ଜୀବ କୁମାର ମୁଣ୍ଡ୍ ,ସ୍ଵାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଚଲାର ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା , ଓ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଭାକର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଜନ ସାଧାରଣ ସଚେତନ ହେଲେ ଏଡ଼ସ ନିରାକରଣ ସମ୍ଭବ। ଏଥିପାଇଁ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ହେଲ୍ପ ଲାଇନ ଟୋଲ୍ ଫ୍ରି ନମ୍ବର ୧୦୯୭ ସହାୟତା ନେବାପାଇଁ ଆଲୋଚନା କରାଯାଇଥିଲା। ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତଦାନର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ଅଶୋକ କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ କାଳୀ ଚରଣ ଖାଡ଼ାଙ୍ଗା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନଙ୍କୁ ନେଇ ରେଡକ୍ରସ୍ ପତାକା ଉତ୍ତୋଳନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପରିଚାଳନାରେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ଶୁଶାନ୍ତ କୁମାର ମୁଣ୍ଡ, ସାରଙ୍ଗ ମାଝୀ, ରାକେଶ କୁମାର ମେହେର, ନବୀନ କୁମାର ମେହେର, ଅଜୟ କୁମାର ନାଏକ, ଯାମିନୀ କାନ୍ତ ମେହେର ପ୍ରମୁଖ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।