ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର ତାଙ୍କ ପଦବିରୁ ଇସ୍ତଫା ଦେବାସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ନିଜର ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ଙ୍କ ପାଖକୁ ପଠାଇ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ଉଲୁଣ୍ଡା ବ୍ଲକ୍ ସଭାପତି ନୃସିଂହ ଚରଣ ପଣ୍ଡା, କଂଗ୍ରେସ ବୀରମହାରାଜପୁର ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜେଶ୍ କୁମାର ମିଶ୍ର (ରାଜା), ସୋନପୁର ବ୍ଲକ୍ ସଭାପତି ଲଛମନ ସୁନା, ଡୁଙ୍ଗୁରିପାଲି ବ୍ଲକ୍ ସମ୍ପାଦକ ଲକ୍ଷ୍ମନ ନାଗ, ପୂର୍ବତନ ଉଲୁଣ୍ଡା ବ୍ଲକ୍ ସଭାପତିନୃସିଂହ ଚରଣ ପଣ୍ଡା, ଉଲୁଣ୍ଡା ବ୍ଲକ୍ ୨ ନମ୍ବର ଜୋନ ସଭାପତି ଦୟାନିଧି ସାହୁ, ଓବିସି ସେଲ ଜିଲ୍ଲା ସଭାପତି ଲକ୍ଷ୍ମଣ ପର୍ଡ଼ିଆ ମଧ୍ୟ ଇସ୍ତଫା ଦେଇଛନ୍ତି। ଏ ନେଇ ସ୍ଥାନୀୟ କସ୍ତୁରୀ ଲଜ୍ ରେ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି । ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ଶୃଙ୍ଖଳିତ କର୍ମୀ ଭାବରେ ସେବା କରି ଆସିଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଅବହେଳା କରିଥିବା କହି ସମସ୍ତ କର୍ମୀ ଇସ୍ତଫା ଦେଇଥିବା ଗଣମାଧ୍ୟମ ସମ୍ମୁଖ ରେ ବାର୍ତ୍ତା ରଖିଥିଲେ। ଶ୍ରୀ ପାତ୍ର ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ଦାବିଦାର ଥିଲେ ଓ ଓଡ଼ିଶାରେ ପ୍ରାର୍ଥୀଙ୍କ ନାମ ଘୋଷଣା ପୂର୍ବରୁ ଏକ ପେନଡ୍ରାଇଭ ଦଳ ତରଫରୁ ଦିଆଯାଇଥିଲା ଓ ତାଙ୍କୁ ମଧ୍ୟ ଦିଆ ହୋଇଛି, ମାତ୍ର ନାମ ଘୋଷଣା ହେଲାନି ତେଣୁ ତାଙ୍କ ପ୍ରତି ଦଳ ଅବହେଳା କରିଥିବା ପ୍ରକାଶ କରି କଂଗ୍ରେସ୍ ଦଳରୁ ଇସ୍ତଫା ଦେଇଛନ୍ତି ବିନୋଦ ପାତ୍ର।