ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଠିକ ମାସକ ପରେ ଟି-୨୦ ବିଶ୍ଵକପ ଖେଳାଯିବ। ଅର୍ଥାତ୍ ଜୁନ୍ ୨ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। କାହାକୁ ମିଳିବ ବିଶ୍ୱକପ୍ ଟିକେଟ ସେନେଇ ଜାରି ରହିଥିଲା ସସପେନ୍ସ। ଶେଷରେ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ବଡ଼ କଥା ହେଉଛି ଦଳରୁ କିଛି ଷ୍ଟାର ଖେଳାଳିଙ୍କୁ ବାଦ୍ ଦେଇଛି ବୋର୍ଡ। ସବୁଠାରୁ ଆଶ୍ଚର୍ଯ୍ୟ କରିଛି ୧୫ ଜଣିଆ ସ୍କ୍ୱାଡରୁ ବାଦ୍ ପଡିଛନ୍ତି ରିଙ୍କୁ ସିଂ। ରିଙ୍କୁ ସେହି ଖେଳାଳି ଯିଏ ଅନ୍ତର୍ଜତୀୟ କ୍ରିକେଟରେ ୧୭୬ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି। ଏମିତିକି ରିଙ୍କୁ ଅଛନ୍ତି ତ ମ୍ୟାଚ୍ ଜିତିବା ନିଶ୍ଚିତ ବୋଲି ଫ୍ୟାନଙ୍କ ବିଶ୍ୱାସ ରହିଛି। କେଉଁ ଆଧାରରେ ଚୟନକର୍ତ୍ତା ତାଙ୍କୁ ବାଦ୍ ଦେଲେ, ତାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଯଦିଓ ବୋର୍ଡ ତାଙ୍କୁ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ଦେଇଛି, କିନ୍ତୁ ଫ୍ୟାନ ଚାହୁଁଛନ୍ତି ରିଙ୍କୁଙ୍କୁ ମିଳୁ ୧୫ ଜଣିଆ ଦଳରେ ସୁଯୋଗ। ସେହିପରି ଆଉ ଜଣେ ଚେହେରା ହେଲେ ଲୋକେଶ ରାହୁଲ। ରାହୁଲ ମଧ୍ୟ ବିଶ୍ୱକପ୍ ପାଇଁ ସ୍ଥାନ ପାଇବେ ବୋଲି ଲାଗୁଥିଲା। କିନ୍ତୁ ତାଙ୍କୁ ମଧ୍ୟ ମିଳିଲାନି ସୁଯୋଗ। ରାହୁଲଙ୍କୁ ନନେବା ପଛର କାରଣ ହେଉଛନ୍ତି ପନ୍ତ ଓ ସାମସନ୍। ଉଭୟ ପନ୍ତ ଓ ସାମସନ୍ ୱିକେଟ୍ କିପର ଭାବେ ସ୍ଥାନ ପାଇଛନ୍ତି। ବଡ଼ କଥା ହେଉଛି ଏହି ଦୁଇ ଜଣ ୱିକେଟ୍ କିପର ବର୍ତମାନ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ସେଥିପାଇଁ ବୋର୍ଡ ଅତିରିକ୍ତ ୱିକେଟକିପର ଭାବେ ରାହୁଲ ନନେବାକୁ ନିଷ୍ପତ୍ତି ନେଇଛି। ସେହିପରି ଶୁବମନ୍ ଗିଲଙ୍କୁ ମଧ୍ୟ ସ୍ଥାନ ମିଳିନି। ଆଇପିଏଲରେ ଗିଲଙ୍କ ପ୍ରଦର୍ଶନ ସେତେଟା ଭଲ ରହିନାହିଁ। ତାଛଡା ଜାତୀୟ ଟି-୨୦ ଦଳରେ ମଧ୍ୟ ଗିଲ ଗତ କିଛି ବର୍ଷ ଧରି ନିୟମିତ ଖେଳୁ ନାହାନ୍ତି। ସେଥିପାଇଁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ଦିଆଯାଇନାହିଁ। କିନ୍ତୁ ଗିଲ ଷ୍ଟାଣ୍ଡବାଇ ଖେଳାଳି ଭାବେ ରହିଛନ୍ତି। ଅନ୍ୟତମ ଖେଳାଳି ହେଲେ ଇଶାନ କିଶନ। ସେ ବି ବିଶ୍ୱକପ୍ ପାଇଁ ଦାବିଦାର ଥିଲେ। କିନ୍ତୁ ତାଙ୍କୁ ମଧ୍ୟ ସୁଯୋଗ ମିଳିଲାନି। କୁହାଯାଉଛି ବିସିସିଆଇ ଏବେବି ଇଶାନଙ୍କ ଉପରେ ଖପ୍ପା ଅଛି। କାରଣ ଇଶାନ୍ ଘରୋଇ କ୍ରିକେଟ ଖେଳିବାକୁ ମନା କରିଦେଇଥିଲେ। ହୁଏତ ସେହି କାରଣରୁ ତାଙ୍କୁ ସ୍ଥାନ ଦିଆଯାଇନାହିଁ। ଏଠି ପ୍ରଶ୍ନ ଉଠୁଛି, ଏହି ଚାରି ଷ୍ଟାର ଖେଳାଳିଙ୍କ ବିନା ଭାରତ ବିଶ୍ୱକପ୍ ଜିତି ପାରିବ ତ? ନା ବୋର୍ଡ ଯେଉଁ ୧୫ ଜଣିଆ ଟିମ୍ ଘୋଷଣା କରିଛି, ସେହି ଟିମ୍ ପାଖରେ ବିଶ୍ଵ ବିଜେତା ହେବାର ପୁରା ଦମ୍ ରହିଛି। ଏ ସବୁ ଜୁନ୍ ୨ ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ପରେ ସ୍ପଷ୍ଟ ହୋଇଯିବ।