ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ମତଦାନ ଚାଲିଛି। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ୁବ ଭୋଟ୍। ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏହା ମଧ୍ୟରେ ‘ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, “ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର ରହିଛି। ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଇ ବୁଥ୍) ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡା ପଞ୍ଚାୟତର କାନ୍ଥିଡିଗ୍ରା ପ୍ରାଥମିକ ବିଦ୍ୟାଳୟରେ ଖୋଳିଛି ‘ଆଦର୍ଶ ଓ ସଖି ମତଦାନ କେନ୍ଦ୍ର’। ଏହା ସଂପୂର୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର। ମଇ ୧୩ ସକାଳୁ ସଖି ମତଦାନ କେନ୍ଦ୍ର ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ ସହ ମହିଳା ଓ ପୁରୁଷ ମତଦାତା ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। କାନ୍ଥିଡିଗ୍ରା ପଡ଼ାରେ ମୋଟ ୬୩୩ ଭୋଟର ଥିବାବେଳେ ସକାଳ ଘ ୧୦. ୧୦ ମି ସୁଦ୍ଧା ୧୪୮ ଜଣ ମତଦାନ କରିଥିବା ଜଣାପଡିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗ୍ଜଜୀବନ ସାହୁଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ କାନ୍ଥିଡିଗ୍ରା ପଡ଼ା ସଖି ବୁଥ୍ ରେ ଚାଲିଛି ମତଦାନ ପ୍ରକ୍ରିୟା। ଭୋଟରଙ୍କ ପାଇଁ ଦହି ସର୍ବତ ଓ ବିଶୁଦ୍ଧ ପାନୀୟଜଳର ସୁବନ୍ଦୋବସ୍ତ କରାଯାଇଛି।