ଓଡ଼ିଆ ବାର୍ତ୍ତା/ ପୁରୀ: ଏଥର ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ପୂର୍ବରୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପିର ଫୋକସରେ ରହିଛି ଓଡ଼ିଶା। ଭାରତୀୟ ଜନତା ପାର୍ଟିର ବହୁ ହେବିଓ୍ବେଟ ନେତା ଏଠିକି ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭୁବନେଶ୍ୱରରୁ ବାହାରି ସକାଳ ୭.୧୫ରେ ପୁରୀରେ ପହଞ୍ଚିଥିଲେ। ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ରୋଡ୍ ଶୋ’ କରିଥିଲେ। ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ମୋଦୀଙ୍କ ଝଲକ ଟିକକ ପାଇବା ପାଇଁ ଜନତା ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ମୋଦୀ ମୋଦୀ ନାରାରେ କମ୍ପି ଉଠୁଥିଲା ବଡ଼ଦାଣ୍ଡ। ଆଜି ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି।