ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ଭଗବାନଙ୍କ କପିଳାବତାର କଥା

ସୃଷ୍ଟିର ଆଦ୍ୟ କାଳର କଥା। ସୃଷ୍ଟିର ଆଦ୍ୟ ପୁରୁଷ ମନୁ ଓ ଆଦ୍ୟ ନାରୀ, ଶତରୂପା ପ୍ରଜାପତି ବ୍ରହ୍ମାଙ୍କ ଆଦେଶରେ ସନ୍ତାନସୃଷ୍ଟି କାର୍ଯ୍ୟରେ ଲାଗିପଡ଼ିଲେ। ତାଙ୍କର ଦୁଇ ଗୋଟି ପୁତ୍ର ଓ ତିନି ଜଣ କନ୍ୟା ଜନ୍ମ ହେଲେ। ତାଙ୍କ ଦୁଇ ପୁତ୍ରଙ୍କ ନାମ ହେଲା ପ୍ରିୟବ୍ରତ ଓ ଉତ୍ତାନପାଦ। ତାଙ୍କ ତିନିକନ୍ୟା ହେଲେ ଆକୁତି ପ୍ରସୂତି ଓ ଦେବହୁତି। ବ୍ରହ୍ମା ପୁଣି ସୃଷ୍ଟି ବିସ୍ତାରପାଇଁ ପୁଣି କେତେକ ପ୍ରଜାପତି ସୃଷ୍ଟି କଲେ। ପ୍ରଜାପତିଙ୍କ ଭିତରେ ଅନ୍ୟତମ ଥିଲେ କର୍ଦ୍ଦମ। ବ୍ରହ୍ମା କର୍ଦ୍ଦମଙ୍କୁ ଆଦେଶ ଦେଲେ, ତୁମେ ମଧ୍ୟ ସୃଷ୍ଟି ବିସ୍ତାର ପାଇଁ, ସନ୍ତାନ ଉତ୍ପନ୍ନ କର। ପିତାଙ୍କ ଦ୍ବାରା ଆଦିଷ୍ଟ ହୋଇ, ଜଣେ ଅନୁରୂପ ସ୍ଵଭାବବତୀ ନାରୀ ପ୍ରାପ୍ତି ଉଦ୍ଧେଶ୍ୟରେ କର୍ଦ୍ଦମ ସରସ୍ୱତୀନଦୀ କୁଳରେ କଠୋର ତପସ୍ୟା ଆରମ୍ଭ କଲେ। ଦିନେ ଭଗବାନ ବିଷ୍ଣୁ, ତାଙ୍କ ଉପରେ ପ୍ରସନ୍ନ ହୋଇ,ତାଙ୍କ ଆଗରେ ଆବିର୍ଭୁତ ହେଲେ। କର୍ଦ୍ଦମ ତାଙ୍କୁ ନିଜର ଅଭିଳାଷ ବ୍ୟକ୍ତ କରିବାରୁ ଭଗବାନ୍ କହିଲେ, ଆସନ୍ତା କାଲି ରାଜର୍ଷି ମନୁ, ତାଙ୍କ ପତ୍ନୀ ଶତରୂପାଙ୍କ ସହ ତୁମକୁ ସାକ୍ଷାତ କରିବା ପାଇଁ ଆସିବେ। ସେ ତାଙ୍କ କନ୍ୟା ଦେବହୁତିଙ୍କ ନିମନ୍ତେ ତୁମକୁ ସ୍ଥିର କରିଛନ୍ତି। ତୁମେ ହର୍ଷ ଚିତ୍ତରେ ତାଙ୍କୁ ଗ୍ରହଣ କରିବ। ମୁଁ କାଳାନ୍ତରେ ତୁମରି ଔରସରୁ ଦେବହୁତିଙ୍କ ଗର୍ଭରେ ଜାତ ହେବି ଓ ସଂସାରରେ ସାଂଖ୍ୟଦର୍ଶନ ପ୍ରଚାର କରିବି। ପ୍ରଭୁ କର୍ଦ୍ଦମଙ୍କୁ ଆଶୀର୍ବାଦକରି ଫେରୁଥିଲା ବେଳେ ତାଙ୍କ କରୁଣାର୍ଦ୍ର ଚକ୍ଷୁରୁ ଦୁଇବୁନ୍ଦାଲୁହ ଝରିପଡ଼ିଲା। ସେହି ଲୁହରୁ ଏକ ସରୋବର ସୃଷ୍ଟି ହେଲା। ତାହାର ନାମ ହେଲା, ବିନ୍ଦୁ ସରୋବର। ସରସ୍ୱତୀ ନଦୀ ଜଳରେ ପୁର୍ଣ୍ଣ ହୋଇ ବିନ୍ଦୁସରୋବର କ୍ରମେ ଗୋଟିଏ ମହାନ୍ ତୀର୍ଥର ମାନ୍ୟତା ଲାଭକଲା। ଭଗବାନଙ୍କ କଥାନୁସାରେ ଶତକୁ ଶତ, ମହାରାଜ ମନୁ କନ୍ୟା ଦେବହୁତିଙ୍କୁ ଧରି ପରଦିନ ଆସି ୠଷି କର୍ଦ୍ଦମଙ୍କ ଆଶ୍ରମରେ ପହଁଚିଲେ। କର୍ଦ୍ଦମଙ୍କ ସହିତ ଯଥାବିଧି ଦେବହୁତିଙ୍କ ଵିଵାହ ହୋଇଗଲା। ଏବେ ରାଜକନ୍ୟା ଦେଵହୁତି ତପଚାରିଣୀ ଭାବେ ମହର୍ଷି କର୍ଦ୍ଦମଙ୍କ ସେବାରେ ଲାଗି ରହିଲେ। ଦିନେ ମହର୍ଷି କର୍ଦ୍ଦମ, ତାଙ୍କ ସେବାରେ ଖୁବ୍ ସନ୍ତୋଷ ବ୍ୟକ୍ତ କରି କହିଲେ, କଲ୍ୟାଣୀ! ତୁମେ ମୋ ସେବା କରି କରି ତୁମ ଶରୀରକୁ ଅତୀବ କୃଷ କରି ଦେଲଣି। ଏବେ କୁହ ମୁଁ ତୁମର କେଉଁ କାମନା ପୁର୍ଣ୍ଣ କରିବି।ଦେବହୁତିଙ୍କ ତ ସନ୍ତାନ କାମନା ଥିଲା। ସେ ସେହି କଥା ପତିଙ୍କୁ କହିଲେ। କର୍ଦ୍ଦମ, ନିଜ ତପ ବଳରେ ଏକ ଦିବ୍ୟବିମାନ ପ୍ରକଟକଲେ। ସେଥିରେ ସମସ୍ତ ଐଶ୍ୱର୍ଯ୍ୟ, ଦାସଦାସୀ ଓ ଭୋଗ୍ୟ ଦ୍ରବ୍ୟମାନ ଖଞ୍ଜା ଯାଇଥିଲା। ସେହି ବିମାନରେ ମହର୍ଷି କର୍ଦ୍ଦମ ପତ୍ନୀ ଦେବହୁତିଙ୍କ ସହ ଗାର୍ହ୍ୟସ୍ତ ଜୀବନ ଆରମ୍ଭ କଲେ। କାଳକ୍ରମେ, ଦେବହୁତିଙ୍କ ଗର୍ଭରୁ ସାତ ଜଣ କନ୍ୟା ଜନ୍ମ ହେଲେ କଳା, ଅନୁସୂୟା, ଶ୍ରଦ୍ଧା, ହବିର୍ଭୁ, ଗତି କ୍ରୀୟା, ଖ୍ୟାତି, ଅରୁନ୍ଧତୀ, ଓ ଶାନ୍ତି। ସେହି କନ୍ୟା ମାନେ ଯଥାକ୍ରମେ ସପ୍ତର୍ଷି ମରୀଚି, ଅତ୍ରୀ, ଅଙ୍ଗିରା, ପୂଲ୍ୟସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ ଓ ଅଥର୍ବଣ ଆଦି ଋଷିଙ୍କୁ ଵିଵାହ କଲେ। ଏପରି ସାଂସାରିକ ସୁଖ ଓ ଭୋଗ ବିଳାସରେ ବହୁ କାଳ ବିତିଗଲା ପରେ ମହର୍ଷି କର୍ଦ୍ଦମଙ୍କ ହୃଦୟରେ ପୂର୍ଣ୍ଣ ବୈରାଗ୍ୟ ଜାତ ହେଲା। ସେ ଚିନ୍ତା କଲେ, ଏ ବିଷୟ ସୁଖରେ ରହି, ମୁଁ ଜୀବନଟାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଲି।ସେ ପତ୍ନୀ ଦେବହୁତିଙ୍କୁ ଏ କଥା କହି ବନ ଗମନ ପାଇଁ ପ୍ରସ୍ତୁତ ହେଲେ। ଦେବହୁତି ଅତି ବିନୀତ ହୋଇ କହିଲେ, ହେ ସ୍ଵାମୀ! ମୁଁ ହୀନମତି ବିଷୟ ସୁଖରେ ରହି ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ଏଣୁ ହେ ସ୍ବାମୀ! କୃପାକରି ଆପଣ ମୋ ଉଦ୍ଧାରର ମାର୍ଗ ବତାଇ ମୋତେ କୃତାର୍ଥ କରନ୍ତୁ। ୠଷି କର୍ଦ୍ଦମ କହିଲେ, ଭଦ୍ରେ! ତୁମେ ଆଉ ବ୍ୟଥିତ ହୁଅ ନାହିଁ। ତୁମ ଗର୍ଭରୁ ଅନ୍ତର୍ଯ୍ୟାମୀ ପରମ ପୁରୁଷ ପ୍ରକଟ ହେବା ସମୟ ଏବେ ଉପଗତ। ତୁମକୁ ସେ ସମସ୍ତ ତତ୍ତ୍ୱଜ୍ଞାନ ଉପଦେଶ ଦେବେ। ତାଙ୍କୁ ଦର୍ଶନ କରି ମୁଁ ଏଠାରୁ ଚାଲିଯିବି। ଯଥାସମୟରେ ଦେବୀ ଦେବହୁତିଙ୍କ ଗର୍ଭରୁ ଭଗବାନ କପିଳ ଜନ୍ମହେଲେ। ମହର୍ଷି କର୍ଦ୍ଦମ ତାଙ୍କ ଦର୍ଶନକଲେ ଏବଂ ତାଙ୍କ ଆଜ୍ଞା ଘେନି ତପସ୍ୟା ପାଇଁ ପ୍ରସ୍ଥାନ କଲେ। ଜନନୀ ଦେବହୁତି କପିଳଙ୍କୁ ଜୀବ ଉଦ୍ଧାରର ମାର୍ଗ କଅଣ ପ୍ରଶ୍ନ କରିବାରୁ, ଭଗବାନ୍ କପିଳ ତାଙ୍କୁ ତତ୍ତ୍ବ ଉପଦେଶ ପ୍ରଦାନକରି କହିଲେ, ମନୁଷ୍ୟର ମନହିଁ ତା ବନ୍ଧନ ଓ ମୋକ୍ଷର କାରଣ। ବିଷୟରେ ଆସକ୍ତ ହୋଇ ତାହା ବନ୍ଧନର କାରଣ ହୋଇ ଯାଏ। ତାହା ପରମାତ୍ମାଙ୍କ ପ୍ରତି ଅନୁରକ୍ତ ହେଲେ ପୁନଃ ମୋକ୍ଷର କାରଣ ହୋଇଯାଏ। ଏଣୁ, ମନୁଷ୍ୟ ସର୍ବଦା ନିଜର ମନ ଓ ପ୍ରାଣକୁ ଭଗବାନଙ୍କ ଠାରେ ଅର୍ପଣ କରିବା ଉଚିତ୍। ଶ୍ରୀମଦ୍ ଭାଗବତ ଭାଷାରେ:-

ଯାହାର ଚିତ୍ତେ ଭକ୍ତି ଯୋଗ।

ଭଜଇ ମୋ ଚରଣ ଯୁଗ।।

ତେବେ ବିଷୟେ ବଇରାଗ୍ୟ।

ଉପୁଜେ ପୂର୍ବେ ଥିଲେ ଭାଗ୍ୟ।।

ଏ ଆତ୍ମନିଷ୍ଠା ଯୋଗ ଜାଣ।

ପୁରୁଷ ମୋକ୍ଷର କାରଣ।।

ମାତାଙ୍କୁ ଏପରି ଭକ୍ତି ଓ ସାଂଖ୍ୟ ଉପଦେଶ ପ୍ରଦାନ କରି ଭଗବାନ୍ କପିଳ ସମୁଦ୍ର ତଟରେ ପହଁଚିଲେ। ସମୁଦ୍ର ତାଙ୍କୁ ନିଜ ଗର୍ଭରେ ସ୍ଥାନଦେଲା। ଇଆଡ଼େ କପିଳଙ୍କ ଉପଦେଶ ଅନୁସାରେ, ମାତା ଦେବହୁତି ପରମ ପୁରୁଷଙ୍କ ଚରଣ କମଳରେ ନିରନ୍ତର ଧ୍ୟାନ ଲଗାଇ ମୋକ୍ଷ ପ୍ରାପ୍ତ ହେଲେ ଏବଂ ଗୋଟିଏ ନଦୀ ହୋଇ ବହିଗଲେ। ପୁରାଣରେ ତାହା ପୁଣ୍ୟତୋୟା ଦୃଷଦବତୀ ନଦୀ ବୋଲି ବର୍ଣ୍ଣିତ। ଭଗବାନ କପିଳ ମହାନ୍ ସାଂଖ୍ୟଶାସ୍ତ୍ରର ପ୍ରଣେତା। କପିଳଙ୍କୁ ଶ୍ରୀମଦ୍ ଭାଗବତରେ ଭଗବାନଙ୍କ ପଞ୍ଚମ ଅବତାର ଭାବେ ବର୍ଣ୍ଣନାକରି କୁହାଯାଇଛି:-

ପଞ୍ଚମେ ସିଦ୍ଧ ଅବତାରେ।

ଜନ୍ମିଲେ କର୍ଦ୍ଦମର ଘରେ।।

ନାମେ ସେ କପିଳ ବୋଲାଇ।

ପିତା ମାତାଙ୍କୁ ଜ୍ଞାନ କହି।।

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.