ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବଲବସପୁର ଧରଣୀପଦର ନିକଟରେ ଶ୍ରମିକମାନଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡିଛି। ଏଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡାଲାରେ ବସିଥିବା ବୁଢିପଦର ଗ୍ରାମର ୧୧ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତ ମହିଳା ଜଣକ ବୁଢିପଦର ଗ୍ରାମର ହେମ ଗଉଡ (୪୨) ବୋଲି ଜଣାପଡିଛି। ଆହତମାନଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ପୁଇନ ଗଉଡ, କୈଳାସ ଗଉଡ, ମଣି ଧଙ୍ଗଡାମାଝୀ, ସିଦେ ଧଙ୍ଗଡାମାଝୀ, ଧର୍ମେନ୍ଦ୍ର ମାଝୀ, ଉଷା ଗଉଡ, ଭୁବନେ ଗଉଡ ଓ ପ୍ରମିଳା ଗଉଡ ଗୁରୁତର ଆହତ ହୋଇଛନ୍ତି, କାହାର ମୁଣ୍ଡ ଫାଟିଛି ତ କାହାର ହାତ ଗୋଡ ଭାଙ୍ଗି ଯାଇଛି। ଗୁରୁତର ଆହତ ମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ୩ଜଣ ଶ୍ରମିକଙ୍କ ଜୀବନ ସଙ୍କଟାପନ୍ନ ଥିବା ଜଣାପଡିଛି। ଆଜି ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଶ୍ରମିକମାନେ କର୍ମେଗାଁ ରୁ ପଲସାପଡାର ପିଚୁ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରତିଦିନ ପରି ସେମାନେ କାମସାରି ଟ୍ରାକ୍ଟର (ଓଡି ୦୮ ବି ୯୩୬୨) ଡାଲାରେ ବସି ଘରକୁ ଫେରୁଥିଲେ। ଏହି ସମୟରେ ଧରଣୀପଦର ମୁଖ୍ୟ ରାସ୍ତାରୁ ଏକ କ୍ଷେତ ତଳକୁ ଟ୍ରାକ୍ଟର ଖସି ପଡିଥିଲା। ଘଟଣାସ୍ଥଳରୁ ଆହତ ଶ୍ରମିକମାନଙ୍କୁ ସମାଜସେବୀ ବିଜୟ ଧଙ୍ଗଡାମାଝୀ, ରଜନି ଗଉଡ, ଶତ୍ରୁଘନ ଧଙ୍ଗଡାମାଝୀ ଓ ବୁଢିପଦରର ଯୁବକମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ନର୍ଲା ଡାକ୍ତରଖାନା ନିଆ ଯାଇଥିଲା। ଟ୍ରାକ୍ଟର ଡ଼୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ତୁରନ୍ତ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ଜଣାପଡିଛି।