ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସକୁ ବିରୋଧ କରିଥିଲେ କଳାହାଣ୍ଡି ସାଂସଦ
ଡବଲ ଇଂଜିନ ସରକାର ପରେ ଏଥର ହେବ କି ଶିଳାନ୍ୟାସ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଗତ ୨୦୨୨ ମସିହା ଏପ୍ରିଲ ମାସରେ କର୍ଲାମୁଣ୍ଡା ବ୍ଲକର ପୌରକେଲା ଠାରୁ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ତାଣ୍ଡିଗାଁକୁ ସଂଯୋଗ କରିବା ପାଇଁ ତେଳ ନଦୀ ଠାରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଭାରତ ସରକାର ଅର୍ଥ ମଂଜୁର କରିଥିଲେ। ଅଂଚଳର ଦୀର୍ଘ ଦଶନ୍ଧିର ଦାବୀକୁ ନେଇ କଳାହାଣ୍ଡିର ତତ୍କାଳୀନ ଲୋକସଭା ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିଥିଲେ। ଏଥିସହିତ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଏଉପରେ ବାରମ୍ବାର କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୁଇ ସାଂସଦଙ୍କ ଦାବୀ ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଏହାର ପ୍ରାକ ସର୍ବେକ୍ଷଣ କରାଇ ପରେ ଅର୍ଥ ମଂଜୁର କରାଇଥିଲେ। କେନ୍ଦ୍ରୀୟ ରୋଡ ଓ ଭିତିଭୂମି ପାଣ୍ଠି (ସି.ଆର.ଆଇ.ଏଫ୍) ରୁ ଏଇ ସେତୁ ନିର୍ମାଣ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଏଇ ସେତୁର ଲମ୍ବ ୮୩୦ ମିଟର ହେବାର ସ୍ଥିର ହୋଇଥିଲା। କିନ୍ତୁ ଅର୍ଥ ମଂଜୁରୀ ର ୨ ବର୍ଷ ଅତିକ୍ରମ ସତ୍ୱେ କାମ ଆରମ୍ଭ ହୋଇନାହିଁ। ଏନେଇ ‘ଓଡିଆ ବାର୍ତ୍ତା’ ରେ ବାରମ୍ବାର ଖବର ପ୍ରସାରଣ ପରେ ଗତ ସାଧାରଣ ନିର୍ବାଚନ ଘୋଷଣାର କିଛି ଦିନ ଆଗରୁ ନର୍ଲାର ତତ୍କାଳୀନ ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ୱାରା ଶିଳାନ୍ୟାସ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ସାଂସଦଙ୍କ ପକ୍ଷରୁ ପ୍ରଶାସନ ଠାରେ ଜୋରଦାର ବିରୋଧ କରାଯିବାରୁ ଏହାର ଶିଳାନ୍ୟାସ ସ୍ଥଗିତ ରହିଥିଲା। ତେବେ ବର୍ତମାନ ସରକାର ପରିବର୍ତନ ହେବା ସହ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଥିବାରୁ ଏଇ ସେତୁ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ। ଏପରି କ୍ଷେତ୍ରରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀରର ସାଂସଦ ମଧ୍ୟ ବିଜେପିରୁ ନିର୍ବାଚିତ ହୋଇଥିବାରୁ ସେମାନେ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବେ କି ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶଥାଉ କି ଏଇ ସେତୁ ନିର୍ମାଣ ହେଲେ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଂଚଳ କର୍ଲାମୁଣ୍ଡା ବ୍ଲକ ଠାରୁ ବଲାଙ୍ଗୀରକୁ ଦୂରତା କମିଯିବ। କର୍ଲାମୁଣ୍ଡା ବ୍ଲକର ରିଷିଡା ଠାରୁ ବଲାଙ୍ଗୀର ଜିଲ୍ଲାର ତୁଷୁର ମଧ୍ୟରେ ବ୍ୟବସାୟିକ ମାର୍ଗ ଖୋଲିବା ସହ ଗମନାଗମନ କ୍ଷେତ୍ରରେ ନୂତନ ଫର୍ଦ୍ଦ ଯୋଡି ହୋଇପାରିବ।