ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ବାଲେଶ୍ଵରରେ ଆରମ୍ଭ ହେଲା ଗାନ୍ଧୀବାଦୀ ଅଭିଯାନ

ଅଭିଯାନର ନେତୃତ୍ବ ନେଲେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି

ବାଲେଶ୍ଵରରେ ଗଠିତ ହେଉ ଶାନ୍ତିସେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନିକଟରେ ବାଲେଶ୍ଵରରେ ସଙ୍ଗଠିତ ହୋଇଥିବା ସାମ୍ପ୍ରଦାୟିକ ବିଦ୍ୱେଷକୁ ଭୁଲି ଲୋକଙ୍କ ମଧ୍ୟରେ ଭାଇଚାରା ସ୍ଥାପନ କରାଇବା ନିମନ୍ତେ ଗତ ସପ୍ତାହ ଧରି ଗାନ୍ଧୀ ବିଚାରର ସଂଗଠନମାନଙ୍କ ପକ୍ଷରୁ ଶାନ୍ତି ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଡ଼ା ବିଶ୍ୱଜିତଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗାନ୍ଧୀବାଦୀମାନେ ଉଭୟ ସଂପ୍ରଦାୟ ମଧ୍ୟରେ କଥାବାର୍ତ୍ତା କରିବା ସହ ବାଲେଶ୍ଵରରେ ସ୍ଥାୟୀ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରୁଛନ୍ତି। ଆଜି ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଓ ପୂର୍ବାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର ସ୍ଥାନୀୟ ଗୋଳାପୋଖରୀ ଛକରେ ନାଟକ ‘ଗୋଟିଏ ଅଚିହ୍ନା ଶବ’ର ଉଦଘାଟନ କରି ଗାନ୍ଧୀବାଦୀ ମାନଙ୍କର ଏହି ପ୍ରୟାସକୁ ଅଭିନନ୍ଦନ ଜଣାଇଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ବାଜି ରାଉତ ଛାତ୍ରାବାସ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ଆଦି ଗାନ୍ଧୀ ବିଚାରର ସଂଗଠନମାନଙ୍କ ପକ୍ଷରୁ ରାଜ୍ୟସ୍ତରରୁ ଆସିଥିବା ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ମହାପାତ୍ର, ଅଖିଳ କୁମାର ପାଢ଼ୀ, ପବନ କୁମାର ଶର୍ମା, ମିହିର ପ୍ରତାପ ଦାସ, ପ୍ରଫେସର ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କହିଲେ ଯେ, ସ୍ଵାଧୀନତା ଆନ୍ଦୋଳନ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବାଲେଶ୍ଵରର ଭୂମିକା ସ୍ଵତନ୍ତ୍ର। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭୂମି ବାଲେଶ୍ଵର। ବାଲେଶ୍ଵର ତାହାର ଭାଇଚାରା ନିମନ୍ତେ ସବୁବେଳେ ପ୍ରସିଦ୍ଧ। ଶାନ୍ତି ଓ ସଦଭାବନା ନିମନ୍ତେ ସମସ୍ତେ ଏକଜୁଟ ହୋଇ ବାଲେଶ୍ଵରରେ ଶାନ୍ତି ସେନା ଗଠନ କଲେ, ବାଲେଶ୍ୱର ଓଡ଼ିଶା ତଥା ଦେଶକୁ ବାଟ ଦେଖାଇପାରିବ। ଏହି ନାଟକ ଆରମ୍ଭ ହେବା ପୂର୍ବରୁ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ସେଥିରେ ଯଶୋଧାରା ଦାସ, ସମାଜସେବୀ ଅଭୟ କୁମାର ଦାସ, ଜୟପ୍ରକାଶ ଦାସ, ପ୍ରଣୀତା ମିଶ୍ର, ଆଡଭୋକେଟ୍ ମହମ୍ମଦ ଇସଲାମ, ଗୌରାଙ୍ଗ ପାଣିଗ୍ରାହୀ, ଦିଲ୍ଲୀପ ପଣ୍ଡା, ମଞ୍ଜୁଲତା ବଳ, ଦେବାଶିଷ ପଣ୍ଡା, ଶକୀଲା ବାନୁ ପ୍ରମୁଖ ସାମିଲ ହୋଇ ଶାନ୍ତି ପାଇଁ ସହରବାସୀଙ୍କୁ ଆହ୍ଵାନ ଜଣାଇଥିଲେ। ଛୋଟରାୟ ମାଝୀ, ଫୁଲଲତା ସେଠୀଙ୍କ ନେତୃତ୍ୱରେ ମୀର୍ଜାପୋଖରୀ ଓ ମାଣିଖମ୍ବ ଠାରେ ଏହି ନାଟକ ସମ୍ପନ୍ନ ହୋଇଛି। ଆଗାମୀ ଦିନମାନଙ୍କରେ ସହରର ବିଭିନ୍ନ ସ୍ଥାନରେ ଶାନ୍ତି ସଦଭାବନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.