ଆହେ ନୀଳ ଶଇଳ ପ୍ରବଳମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ ।। ଘୋଷ ।।
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଶି ଗ୍ରାହନାଶି ଉଦ୍ଧରିଲ ଆପଣ ।।୧।।
ଘୋରବନେ ମୃଗୁଣୀକି ପଡିଥିଲା କଷଣ
କେଡେ ବଡ ବିପଦରୁ କରିଅଛ ତାରଣ ।।୨।।
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।।୩।।
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ।।୪।।
ପ୍ରହଲାଦ-ପିତା ସେ ଯେ ବଡ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।।୫।।
କହେ ସାଲବେଗ ହୀନ ଜାତିରେ ମୁଁ ଜବନ
ଶ୍ରୀରଙ୍ଗାଚରଣ ତଳେ କରୁଅଛି ଜଣାଣ ।।୬।।