ସନାତନ ସଂସ୍କୃତିର ଏକ ମୁଖ୍ୟ ପାର୍ବଣ ହେଉଛି ଦୀପାବଳି। ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ଦୀପାବଳି ଦିନ ଶ୍ରୀମନ୍ଦିର ରହିଛି ସ୍ୱତନ୍ତ୍ର ନୀତି। ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ। ଏହାକୁ ପୟାଶ୍ରାଦ୍ଧ କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ବାଟ ଦେଖାଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ। ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବର ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି। ଯାହା ପ୍ରାଚୀନ କଳିଙ୍ଗର ତା’ର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା। ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା। ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ। ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି। ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି। ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି।