ଫକୀରମୋହନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହେଲା ‘ବିକଶିତ ଭାରତ-୨୦୪୭’ ପ୍ରସଙ୍ଗରେ ଆନ୍ତର୍ଜାତିକ ସେମିନାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇଦିନିଆ ଆନ୍ତର୍ଜାତିକ ସେମିନାର ଉଦଘାଟିତ ହୋଇଯାଇଛି।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ସେମିନାରର ମୂଳପ୍ରସଙ୍ଗ ଥିଲା “ଆଧୁନିକୀକରଣ, ସାମାଜିକ ପରିବର୍ତ୍ତନ ଏବଂ ବିକାଶ: ବିକାଶ ଭାରତ -୨୦୪୭ ପାଇଁ ଏକ ମାର୍ଗ”। ସେମିନାରରେ ମୁଖ୍ଯବକ୍ତା ଭାବେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ଆନନ୍ଦ କୁମାର ( ସିଏସଏସଏସ), ଯୋଗ ଦେଇ ସାଂପ୍ରତିକ ସମୟରେ ପରିଲକ୍ଷିତ ବିଭିନ୍ନ ସାମାଜିକ ପରିବର୍ତ୍ତନ ସହ ଜଡ଼ିତ ଆଧୁନିକୀକରଣର ପର୍ଯ୍ୟାଲୋଚନା କରିଥିଲେ । ଉନ୍ନତିକରଣର ଲକ୍ଷ୍ଯ ନେଇ ପରିବର୍ତ୍ତିତ ସମାଜରେ ଦେଖାଯାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ ଓ ‘ବିକଶିତ ଭାରତ-୨୦୪୭’ ର ସମ୍ଭାବ୍ଯ ରୂପରେଖର ଉପସ୍ଥାପନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ, ୟୁଏସଏ- ସାନ୍ତାକ୍ରୁଜ ସ୍ଥିତ ୟୁନିଭରସିଟି ଅଫ କାଲିଫର୍ଣ୍ଣିଆର ପ୍ରଫେସର ତ୍ରିଲୋକି ନାଥ ପାଣ୍ଡେ ଯୋଗଦେଇ ଭାରତର ପରିବର୍ତ୍ତନଶୀଳ ସାମାଜିକ ସ୍ଥିତି ଓ ଆଧୁନିକୀକରଣର ପ୍ରଭାବ ସମ୍ବନ୍ଧିତ ବିଭିନ୍ନ ଦିଗଗୁଡିକୁ ଆଲୋକପାତ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦାଶ ନିଜର ଉଦବୋଧନରେ ସମାଜବିଜ୍ଞାନ ଅଧ୍ୟୟନର ମହତ୍ତ୍ବ ଓ ସାମାଜିକ ବିକାଶରେ ଅଂଶୀଦାର ବର୍ତ୍ତମାନର ଆଧୁନିକୀକରଣ ସଂପର୍କରେ ଅବଗତ କରାଇଥିଲେ।
ଏଥିସହ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ଆୟୋଜକ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଅତିଥିମାନଙ୍କ ଉଚ୍ଚକୋଟୀର ଅଭିଭାଷଣରୁ ଛାତ୍ରଛାତ୍ରୀମାନେ ଉପକୃତ ହେବା ନେଇ ଆଶାବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ଆବାହକ ଡ଼କ୍ଟର ପବିତ୍ର ମୋହନ ନାୟକ ପ୍ରାରମ୍ଭିକ ଭାଷଣରେ ଅତିଥି ପରିଚୟ ପ୍ରଦାନ ସହ ଆୟୋଜିତ ସେମିନାର ମୁଖ୍ଯ ଉଦ୍ଦେଶ୍ଯ ଓ ଆଭିମୁଖ୍ଯ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ପରିଚାଳିତ କରିଥିଲେ ଓ ଡ଼କ୍ଟର ସିପ୍ରା ସାଗରିକା ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ବୈଠକ ପରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ “ଆଧୁନିକୀକରଣ, ବିକାଶ ଏବଂ ଏହାର ଆହ୍ୱାନ” ବିଷୟକୁ ନେଇ ଆଲୋଚନା କରାଯାଇଥିଲା ଓ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥିଗଣ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଏହି ସେମିନାରରେ ଓଡ଼ିଶା, ଭାରତ ଓ ଅନ୍ଯାନ୍ଯ ଦେଶର ସାମାଜିକ ବିଜ୍ଞାନ ବିଶେଷଜ୍ଞ, ଶିକ୍ଷାବିତ ଓ ଗବେଷକଗଣ ଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.