ଆଲୋକଙ୍କୁ ଯୁବ ଗବେଷକ ସମ୍ମାନ ଓ ରବୀନ୍ଦ୍ରଙ୍କୁ ଯୁବ କଣ୍ଠଶିଳ୍ପୀ ପୁରସ୍କାର
ଓଡ଼ିଆ ବାର୍ତ୍ତା/ କଟକ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ଯୁବ ସାରସ୍ଵତ ସମାବେଶ କଟକର ଶତାବ୍ଦୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦୀୟମାନ ଗବେଷକ ଡକ୍ଟର ଆଲୋକ ବରାଳଙ୍କୁ ‘ନାଥବ୍ରହ୍ମ ଯୁବ ଗବେଷକ ସମ୍ମାନ’ ଓ ଯୁବ କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ପ୍ରଥମ ‘କଳ୍ପନା ବଳ ଯୁବ କଣ୍ଠଶିଳ୍ପୀ ପୁରସ୍କାର’ ପ୍ରଦାନ କରାଯାଇଛି।
ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ତଥା ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣର ସଦସ୍ୟ ପ୍ରଦୀପ ବିଶ୍ଵାଳ କହିଥିଲେ ଯେ, ଉତ୍କଳ ସାହିତ୍ୟ ସମାଜ ଓଡ଼ିଆ ଅସ୍ମିତାର ପ୍ରତୀକ। ଏହାର ସଂରକ୍ଷଣ ଓ ବିକାଶ ପ୍ରତିଟି ଓଡ଼ିଆର ଧ୍ୟେୟ ହେଉ। ଏହି ଅନୁଷ୍ଠାନ ପକ୍ଷରୁ ଯୁବ ପ୍ରତିଭାଙ୍କୁ ସମ୍ମାନ ପ୍ରଦାନ ନିଶ୍ଚିତ ରୂପେ ପ୍ରଶଂସନୀୟ କାର୍ଯ୍ୟ।
ଏଥିରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର କହିଲେ, ଯୁବ ସାରସ୍ଵତ ସମାରୋହରେ ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ବେଶ୍ ଆକର୍ଷଣୀୟ। ପୁରସ୍କାର ପ୍ରାପକ ଯୁବ ଗବେଷକ ଡକ୍ଟର ବରାଳ ଓ ଯୁବ କଣ୍ଠଶିଳ୍ପୀ ଶ୍ରୀ ମହାପାତ୍ରଙ୍କୁ ୧୦ ହଜାର ଟଙ୍କା ନଗଦ ରାଶି, ମାନପତ୍ର, ଅନୁଷ୍ଠାନର ସ୍ମାରକୀ ଚିହ୍ନ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଉଭୟ ପ୍ରତିଭା ଏହି ପୁରସ୍କାର ସେମାନଙ୍କ ପାଇଁ ଗୁରୁତ୍ବ ରଖୁଛି ବୋଲି କହିଥିଲେ।
ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ଵାଗତ, ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମ ସୂଚନା, ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ପରିଚୟ ପ୍ରଦାନ କରିଥିବା ବେଳେ ମଂଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟ ନିର୍ବାହିକା ସମିତି ସଭ୍ୟ ରାଧାଶ୍ୟାମ ରାଉଳ। ମାନପତ୍ର ପାଠ କରିଥିଲେ ରୀତା ରାୟ ଓ ଦୀପ୍ତି ଦାଶ। ଧନ୍ୟବାଦ ଅର୍ପଣ କରିଥିଲେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ। ଅନ୍ୟମାନଙ୍କ ମଧ୍ୟରେ ଉପ ଉପସଭାପତି ପତି ମନୋଜ ପଟ୍ଟନାୟକ, କୋଷାଧ୍ଯକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତି, ସରୋଜିନୀ ମିଶ୍ର, ଶଶିକାନ୍ତ ରାଉତ, ଦିଲ୍ଲୀପ କୁମାର ଦାସ, ତପନ କୁମାର ସ୍ୱାଇଁଙ୍କ ସମେତ ସାରସ୍ଵତ ସାଧକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।