ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନର୍ଲାର ଯବାନ ଭାସ୍କରଙ୍କ ଶେଷକୃତ୍ୟ ସମ୍ପନ୍ନ

ଶୋକାକୂଳ ପରିବେଶରେ ଫାଟିପଡିଲା ଗାଁ ଦାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଟିର ପୁଅ ସିଆରପିଏଫ ଜବାନ ଭାସ୍କର ଜଡାଙ୍କ ମର ଶରୀର ମଙ୍ଗଳବାର ପୁର୍ବହ୍ନ ୧୦.୩୦ ସମୟରେ ନର୍ଲାରେ ଆସି ପହଞ୍ଚିଥିଲା । ସାନ୍ଦୁଲ ନଦୀ ଶଯ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନର୍ଲା ଯୁକ୍ତଦୁଇ କଲେଜରେ କାର୍ଯ୍ୟରତ ଶମ୍ଭୁ ଜଡାଙ୍କ ବଡ ପୁଅ ଭାସ୍କର ଜଡା । ସେ ଜମ୍ମୁ ଶ୍ରୀନଗରର କୋନିଖାନ ଡେଲଗେଟ ସିଆରପିଏଫ ହେଡକ୍ୱାଟର୍ସ ୧୬୧ ୟୁନିଟ ବାଟାଲିୟନରେ କାର୍ଯ୍ୟରତ ଥିଲେ । ୧୨/୧ ରବିବାର ଦିନ ନିଜ ନିଜ ସର୍ଭିସ ରାଏଫଲରେ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ନେଇ ବିଭାଗ ତରଫରୁ ଅପରାହ୍ନ ୩.୩୦ ରେ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିଲା । ସୋମବାର ଅପରାହ୍ନ ୩ ଘଣ୍ଟା ସମୟରେ ଶ୍ରୀନଗରରୁ ତାଙ୍କ ମରଶରୀର ବିମାନ ଯୋଗେ ଭୂବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରୁ ସିଆରପିଏଫ ଯବାନ ନିଜ ବିଭାଗ ଗାଡିରେ ନର୍ଲା ନେଇ ଆସିଥିଲେ । ନର୍ଲାରେ ସ୍ୱର୍ଗତ ଯବାନଙ୍କ ମର ଶରୀର ପହଞ୍ଚିବା ପରେ ପରିବାର ବର୍ଗ ଓ ଜନସାଧାରଣଙ୍କ କ୍ରନ୍ଦନ ରୋଳରେ ଫାଟି ପଡିଥିଲା ଗାଁ ଦାଣ୍ଡ । ଜୟ ଜବାନ, ଭାରତ ମାତାକି ଜୟ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା ।

Omkar Vasthu
Omkar Vasthu

 

ସୀମା ସୁରକ୍ଷା ବଳ ନର୍ଲା ପୋଲିସ ସହାୟତାରେ ସ୍ୱର୍ଗତ ଭାସ୍କରଙ୍କ ଘର ମୁହଁରେ ଶବ ରଖିଥିଲେ। ସ୍ୱର୍ଗତ ଭାସ୍କରଙ୍କ ଦୁଇ ମାମୁଁ ଚୁଳମଣି ଗଉଡିଆ ଓ ଚିରଞ୍ଜିବି ଗୌଡିଆ ସାମାଜିକ ବିଧି ପରମ୍ପରା ସମାପନ କରିଥିଲେ । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ଜନସାଧାରଣଙ୍କ ଗହଣରେ ସ୍ୱର୍ଗତ ଭାସ୍କରଙ୍କ ଶବକୁ ସ୍ଥାନୀୟ ସାନ୍ଦୁଲ ନଦୀପଠାକୁ ନିଆଯାଇଥିଲା । ସେଠାରେ ସିଆରପିଏଫ ଓ ପୋଲିସ ତରଫରୁ ସ୍ଵର୍ଗତ ଜଡ଼ାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ସଲାମୀ ପ୍ରଦାନ କରାଯାଇଥିଲା । ସିଆରପିଏଫ ଅଧିକାରୀ, ପରିବାର ବର୍ଗ ଓ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ଶବାଧାରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନ ଜଣାଇଥିଲେ । ଏହାପରେ ନଦୀ ପଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୀମା ସୁରକ୍ଷା ବଳ ତରଫରୁ ସ୍ୱର୍ଗତ ଭାସ୍କରଙ୍କ ବାପାଙ୍କୁ ମରଶରୀର ଢଙ୍କାଯାଇଥିବା ରାଷ୍ଟ୍ରୀୟ ପ୍ରତୀକ ଜାତୀୟ ପତାକା ହସ୍ତାନ୍ତର କରିଥିଲେ । ଶବ ସଂସ୍କାର ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ସିଆରପିଏଫ୍ ଜବାନ ସ୍ୱର୍ଗତ ଭାସ୍କର ଜଣେ କ୍ରୀଡ଼ାବିତ୍, ସରଳ, ଅମାୟିକ ଓ ମିଷ୍ଟଭାଷୀ ଯୁବକ ଥିଲେ । ପରିବାର ବର୍ଗଙ୍କ ବ୍ୟତିତ ଅଞ୍ଚଳରେ ମଧ୍ୟ ତାଙ୍କ ପ୍ରତି ବେଶ ଜନାଗ୍ରହ ରହିଥିଲା । ଏଭଳି ଜଣେ ହସମୁଖ, ଖୁସ ମିଜାଜର ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ପରିବାର ବର୍ଗ ଏବଂ ଅଞ୍ଚଳବାସୀ ଜନସାଧାରଣ ସହଜେ ଗ୍ରହଣ କରିପାରୁନଥିବା ବେଳେ ସ୍ୱର୍ଗତ ଜଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ରହସ୍ୟ ଉନ୍ମୋଚିତ ହେବ ବୋଲି ସିଆରପିଏଫ୍ କମାଣ୍ଡର ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.