ଗୁରାଣ୍ଡି ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ନାରାୟଣ ପାତ୍ରଙ୍କ  ୧୧୨ତମ ଜନ୍ମ ବାର୍ଷିକୀ ପାଳିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମରେ ଆଜି ଗଜପତି ଜିଲ୍ଲାରୁ ପ୍ରଥମ ସାଂସଦ ତଥା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ରାଜ୍ୟସଭା ସାଂସଦ ସ୍ୱର୍ଗତଃ ନାରାୟଣ ପାତ୍ରଙ୍କ ୧୧୨ତମ ଜନ୍ମ ବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଜିଲ୍ଲା ଜଷ୍ଟିସ କର୍ଣର୍ ଏବଂ ଲୋକ ନାୟକ ନାରାୟଣ ପାତ୍ର ସ୍ମୃତି ପରିଷଦର ମିଳିତ ସହଯୋଗରେ ଗଜପତି ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ସଭାପତି କିଶୋର ଚନ୍ଦ୍ର ପାତ୍ର , ଆବାହାକ ସଞ୍ଜୟ କୁମାର ରାଉତ ଏବଂ ଜଷ୍ଟିସ କର୍ଣର’ର ସଭାପତି ତଥା ଆଇନଜୀବୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଆୟୋଜକତ୍ୱରେ ଏଥିରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କ ସମେତ ଡଃ ବାୟୁମନୁ ଚର୍ଚ୍ଚି , ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜଷ୍ଟିସ କର୍ଣର ସଭାପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀ ପ୍ରଦୀପ କୁମାର ଜେନା , ଜ୍ୟେଷ୍ଠ ନାଗରିକ ସଭାପତି ପିତବାସ ସାମଲ , ଗ୍ରାମ ସରପଞ୍ଚ ଶିଳ୍ପା ପାତ୍ର ଏବଂ ସମିତି ସଭ୍ୟ ପାଇଲୁ ମିନାକ୍ଷୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।

ମଞ୍ଚାସୀନ ଅତିଥି ମାନେ ସ୍ବର୍ଗତ ନାରାୟଣ ପାତ୍ର ଜଣେ ଉତ୍ସର୍ଗୀକୃତ ସ୍ୱାଧୀନତା ସଂଗ୍ରାମୀ ଥିଲେ , ଯିଏ କି ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ସେ ବ୍ରିଟିଶ ସରକାରଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ଏକାଧିକ ଥର ବନ୍ଦୀ ହୋଇଥିଲେ। ତାଙ୍କର ଅଦମ୍ୟ ସାହସ ଏବଂ ପ୍ରତିବଦ୍ଧତା ପାଇଁ ତାଙ୍କୁ “ଗଜପତିର ଦ୍ୱିତୀୟ ମହାତ୍ମା ଗାନ୍ଧୀ” ବୋଲି କୁହା ଯାଉଥିଲା ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ନାରାୟଣ ପାତ୍ରଙ୍କ ପରିବାର ସଦସ୍ୟ ତଥା ଶ୍ରୀମତୀ ଅନୁରାଧା ପାତ୍ର , ଶ୍ରୀ ଶ୍ରୀକାନ୍ତ ପାତ୍ର ଏବଂ ଶ୍ରୀ ବୁଦ୍ଧଦେବ ପାତ୍ରଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ବ୍ରହ୍ମପୁରରୁ ଆସିଥିବା ତିନି ଅତିଥି ଶ୍ରୀ କାମେଶ୍ୱର ମହାନ୍ତି , ଭିକାରୀ ଚରଣ ନାୟକ ଏବଂ ରାମକୃଷ୍ଣ ଲେଙ୍କା ସମ୍ମାନିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ସଭାରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଡଃ ବାୟୁମନୁ ଚର୍ଚ୍ଚି ତିନୋଟି ପ୍ରସ୍ତାବ ରଖିଥିଲେ। ତାହା ହେଲା ପ୍ରଥମତଃ, ଗୁରାଣ୍ଡୀ ଗ୍ରାମକୁ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ଘୋଷଣା କରାଯାଉ, କାରଣ ଏହି ଗ୍ରାମରୁ ୧୭ ଜଣ ସ୍ୱାଧୀନତା ସଂଗ୍ରାମୀ ଆସିଥିଲେ ; ଦ୍ୱିତୀୟତଃ , ଗ୍ରାମରେ ଏକ ସ୍ମୃତି ସ୍ମାରକ ସ୍ଥାପନ ହେଉ ଏବଂ ତୃତୀୟତଃ , ପାରଳାଖେମୁଣ୍ଡି ସହରରେ ନାରାୟଣ ପାତ୍ରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ।


ଏହି କାର୍ଯ୍ୟକ୍ରମ ନାରାୟଣ ପାତ୍ରଙ୍କ ସାହସ , ତ୍ୟାଗ ଏବଂ ଦେଶ-ପ୍ରେମକୁ ସ୍ମରଣ କରିବା ପାଇଁ ଏକ ଶ୍ରଦ୍ଧାଞ୍ଜଳି ଭାବେ ପାଳିତ ହୋଇଥିଲା। କାରଣ ତାଙ୍କ ଜୀବନୀ ପ୍ରତ୍ୟେକ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ରୂପେ ରହିଛି। ନାରାୟଣ ପାତ୍ର ଜଣେ ପ୍ରେରଣାଦାୟକ ନେତା ଥିଲେ , ଯାହାଙ୍କ ଜୀବନ ଆଜିର ପିଢ଼ିକୁ ଦେଶପ୍ରେମ ଏବଂ ସାମାଜିକ ଦାୟିତ୍ୱ ପ୍ରତି ପ୍ରେରିତ କରେ। ତାଙ୍କ ଜନ୍ମସ୍ଥାନ ଗୁରାଣ୍ଡୀ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏହା ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଛି। ଏହି ଉତ୍ସବ ପ୍ରଥମଥର ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.