ନର୍ଲା ପାନୀୟ ଜଳ ଓ ପରିମଳ ବିଭାଗକୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ଅଞ୍ଚଳରେ ୫୦ ରୁ ଉର୍ଦ୍ଧ୍ୱ ପାନୀୟ ଜଳ ପ୍ରକଳ୍ପ ନର୍ଲା ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିନରେ ଚାଲୁଥିବା ବେଳେ କେତେକ ସ୍ଥାନରେ ବିଭିନ୍ନ ସମସ୍ୟାକୁ ନେଇ ପ୍ରକଳ୍ପ ଗୁଡିକରୁ ଜଳ ଯୋଗାଣରେ ବ୍ୟାଘାତ ଉପୁଜୁଥିବା ଦେଖିବାକୁ ମିଳୁଛି। ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବହୁ ପୁରୁଣା ପ୍ରକଳ୍ପ ହୋଇଥିବା ବେଳେ ଏହା ଉଫେର, ଡେଙ୍ଗସରଗି, ଭାଟେଲ ଓ ସେରଗଡକୁ ପାନୀୟ ଜଳ ଯୋଗାଣ ଚାଲିଛି। ଉଫେର ପ୍ରକଳ୍ପର ପାଇପଲାଇନ ଖରାପ ହୋଇ ପଡିଥିବା ଯୋଗୁଁ ୪ ମାସ ହେଲା ରଜାପଡା ଓ ରାମ ମନ୍ଦିରପଡାକୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଉପୁଜୁଥିଲା। ଏହାର ଏକମାତ୍ର କାରଣ ରାସ୍ତା କାମ। ଉଫେର ଠାରୁ ଭାଟେଲ ପିଡବ୍ଲୁଡି ରାସ୍ତା ପ୍ରସସ୍ଥିକରଣ କାମ ଚାଲୁଥିବାରୁ କିଛି ପାଇପ ନଷ୍ଟ ହୋଇଥିଲା। ରାସ୍ତାକାମ ଯୋଗୁଁ ମାଟିତଳେ ବିଛାଯାଇଥିବା ପାଇପ ଗୁଡିକ ଫାଟି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖରାଦିନ ଲୋକେ ପାଣି ପାଇଁ ଡହଳ ବିକଳ ହେଲେ। ନର୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଅଭିଯୋଗ ପାଇ ନର୍ଲା ପାନୀୟ ଜଳ ଓ ପରିମଳ ବିଭାଗ ତରଫରୁ ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ନୂତନ ପାଇପ ସଂଯୋଗୀକରଣ କରାଯାଇ ଗୁରୁବାର ଠାରୁ ଚାଲିଲା ପାନୀୟ ଜଳ ଯୋଗାଣ। ଏବେ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି ନଦୀ ଗର୍ଭରେ ପାଣି ନାହିଁ। ଫଳରେ ନଦୀ ଶଯ୍ୟାରେ ନିର୍ମିତ ଇନଟେକ ୱେଲରେ ଜଳାଭାବ ଯୋଗୁଁ ଆଗକୁ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇନପାରେ ବୋଲି ଆଡବ୍ଲୁଏସଏସ ବିଭାଗ ନର୍ଲାର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରକାଶ କରିଛନ୍ତି। ଏହାବାଦ ନର୍ଲାର ବିଭିନ୍ନ ପ୍ରକଳ୍ପ ଚଲେଇବାରେ ବ୍ୟାଘାତ ଉପୁଜିଛି ଜଳେଯାଗାଣ ନିମିତ୍ତ ସ୍ୱାବଲମ୍ବି କାରିଗର ସେମାନଙ୍କ ଚାକିରି ସ୍ଥାୟୀ କରିବା ଦାବୀ ନେଇ ୪୦ ଦିନ ହେଲା ଭୁବନେଶ୍ୱରରେ ଧାରଣାରେ ବସିଛନ୍ତି। ଜଳାଭାବ ଦେଖାଯାଉଥିବା ସ୍ଥାନ ଗୁଡିକରେ ଗଭୀର ନଲକୂପ ଖୋଳାଯାଇ ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ଶ୍ରୀ ସୁନାନୀ କହିଛନ୍ତି। ଏବେ ଭାଟେଲ ଓ ଶ୍ରୀପାଲୀ ଗ୍ରାମ ପାଇଁ ନୂତନ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ସରିଯାଇଛି। ଏଠାରେ ହାତୀ ଚଳ ପ୍ରଚଳ ହେଉଥିବାରୁ ବିଦ୍ୟୁତ ଯୋଗାଣ ପାଇଁ ଉଚ୍ଚ ବିଦ୍ୟୁତ ପୋଲ କରାଯାଇ ବହୁତ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସୁନାନୀ ମତବ୍ୟକ୍ତ କରିଛନ୍ତି। ତୁଳାପଡା, କୁର୍ମେଲ, ସାଡିଙ୍ଗତରା ଓ ଭାନପୁରରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକର ପୁରୁଣା ପିଭିସି ପାଇପଲାଇନ ସବୁ ବଦଳାଯାଇ ନୂଆ ଏଚଡିପିଇ ପାଇପ ବିଛାଯାଇ ଜଳ ଯୋଗାଣ ଚାଲିବ ବୋଲି ଶ୍ରୀ ସୁନାନୀ ମତବ୍ୟକ୍ତ କରିଛନ୍ତି। ଏବେ ଭୂ-ତଳ ଜଳସ୍ତର କ୍ରମଶଃ ତଳକୁ ଚାଲିଯାଉଥିବାରୁ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଅନ୍ୟ ଜିଲ୍ଲା ଗୁଡିକ ଭଳି କଳାହାଣ୍ଡିରେ ମଧ୍ୟ ବର୍ଷାଜଳ ସଂଗ୍ରହ କରି ଏହାକୁ ପ୍ରକଳ୍ପ ମାଧ୍ୟମରେ ଗଚ୍ଛିତ ରଖି ଏହାର ବିନିଯୋଗ କରାଗଲେ ପାନୀୟ ଜଳ ସମସ୍ୟାର ସମାଧାନ ଆଗକୁ ଅନାୟାସରେ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।