ବୁଢ଼ୀପଦରରେ ଆଦି ସଂସ୍କୃତିର ପର୍ବ ‘ବେନ୍ଦେନ୍ ଯାତ୍ରା’

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଚାଲିଛି ବେନ୍ଦେନ୍ ଯାତ୍ରା। ଆଦି ସଂସ୍କୃତିର ଏହି ମହାପାର୍ବଣକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସଂସ୍କୃତି ସଂପନ୍ନ ବୁଢ଼ୀପଦର ଗାଁ। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶନିବାର ଦିନ ସମାପ୍ତ ହେବ। ପୂଜା ପୂର୍ବରୁ ସପ୍ତାହ ବ୍ୟାପି ଡକା ଡକାଯାଇଥିଲା। ମଙ୍ଗଳବାର ରାତିସାରା ଗଭା ଉତୁରା ଯାଇଥିଲା। ଡମ୍ ବଜା ଓ ସଲପ ନିସାନର ତାଳେ ତାଳେ ବେନ୍ଦ୍ ଗ୍ରାମ୍ୟ ପରିକ୍ରମା କରିଥିଲେ। ମହିଳାମାନେ ଦେବତାଙ୍କ ପ୍ରତୀକ ଭାବେ ତାଙ୍କୁ ବନ୍ଦାପନା କରିଥିଲେ। ବଲାଙ୍ଗୀର ଜିଲ୍ଲା ଭାଲେଗାଁର ରାଜ ମହୁରିଆ ଉଦେ ତାଣ୍ଡିଙ୍କ ମହୁରୀ ବାଦନ ବାଦ୍ୟନାଦର ମୁଖ୍ୟ ଆକର୍ଷଣ ଥିଲା। ବୁଧବାର ସକାଳୁ ବେନ୍ଦ୍ ପଡ଼ିଥିଲା। ଧରଣୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇ ବେନ୍ଦେନ୍ ଆସ୍ଥାନ, ଭୀମା, ବଗଡ଼ା, କଲାପାର, ଜଡେନ୍, ଡଙ୍ଗର, ବାମନେନ ବୁଢ଼ୀ, ଗବଡା, ମାଉଲି, ରପାଙ୍ଗ ଆଦି ଗ୍ରାମ୍ୟ ଦେବାଦେବୀଙ୍କୁ ଭୋଗରାଗ ଅର୍ପଣ କରାଯାଇଥିଲା। ଏହାପରେ ଧରଣୀ ପୀଠରେ ଗ୍ରାମବାସୀଙ୍କୁ ବିହନ ପ୍ରଦାନ କରାଯାଇଥିଲା। ଗାଁର ଗୈାନ୍ତିଆ କୁବେର ମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜାନୀ ଗୁରୁ ସିଂ ମାଝୀ, ଝାଙ୍କର ଲକ୍ଷ୍ମଣ ମାଝୀ, ଗଣା ଡୁମେର, ପୂଝାରୀ କାନ୍ତ ମାଝୀ, ଛବିର ମାଝୀ, ଗଜିନ୍ଦ୍ର ମାଝୀ, ଭୀମ ଭୋଇ, ଧନେଶ୍ଵର ମାଝୀ, ଦେବାଦି ଭୋଇ, ତ୍ରିଲୋଚନ ଧଙ୍ଗଡାମାଝୀ, ଗୋପାଳ ଧଙ୍ଗଡାମାଝୀ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ପ୍ରଥମେ ଗାଁର ପ୍ରମୁଖ ପ୍ରଜା ସ୍ବର୍ଗତ ରାଜ ଧଙ୍ଗଡାମାଝୀଙ୍କ ଘରୁ ଯୋଗ ପାଣି ଆଣି ଧରଣୀ ପୀଠରେ ରଖାଯାଇଥିଲା। ବେନ୍ଦକୁ ଗାଧୋଇ ପୂଜାର୍ଚ୍ଚନା କରାଯାଇଥିଲା। ଗୈାନ୍ତିଆ ଘରେ ବନ୍ଦାପନା କରିବା ପରେ ବେନ୍ଦ୍ ଗାଁର ପ୍ରତ୍ୟେକ ଘର ଅଗଣାକୁ ଯାଇଥିଲେ। ପୂର୍ବତନ ସରପଞ୍ଚ ବିଜୟ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କମିଟିର ସଭାପତି ରଜନୀ ଗଉଡ, ସମ୍ପାଦକ ସୁରେନ୍ଦ୍ର ମାଝୀ, କ୍ଷମାନିଧି ଧଙ୍ଗଡାମାଝୀ, ଭଗବାନ ଧଙ୍ଗଡାମାଝୀ, ଖିରାବ୍ଧି ମାଝୀ, ରବି ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଋଷି ଗଉଡ, ବିଷ୍ଣୁ ଗଉଡ, ଡ଼ ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ନର୍ଲା ପୋଲିସ ମୁତୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.