ଟେଲରିଂ କାମ ମାଧ୍ୟମରେ ସ୍ବାବଲମ୍ବୀ ହେଲେ ବାଲେଶ୍ଵର ରିତୁ ଝଲାନୀ : ବର୍ଷେ ଭିତରେ ଆଠ ଜଣଙ୍କୁ ଦେଇଛନ୍ତି ନିଯୁକ୍ତି
ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜିର ସମୟରେ ଜଣେ ମହିଳା କୌଣସି କାମରେ ବି ଆଉ ପଛରେ ନାହାନ୍ତି। ଏମିତିକି ସଂଘର୍ଷ ଭିତରେ ନିଜକୁ ସ୍ବତନ୍ତ୍ର କରି ଗଢି ପାରୁଛନ୍ତି। ସେହିପରି ଜଣେ ମହିଳା ବ୍ୟବସାୟୀ ବା ମହିଳା ଉଦ୍ୟୋଗୀ ହେଉଛନ୍ତି ବାଲେଶ୍ଵରର ରିତୁ ଝଲାନୀ।
ଶିକ୍ଷୟିତ୍ରୀ ଭାବେ କିଛି ବର୍ଷ କାମ କରିବା ପରେ ବିବାହ ପାଇଁ ଚାକିରି ଛାଡି ଦେଇଥିଲେ। ମାତ୍ର ବିବାହ ଦେଇଥିଲା ଯନ୍ତ୍ରଣା। ବିବାହ ବିଚ୍ଛେଦ ପରେ ଆମନିର୍ଭରଶୀଳ ହେବା ପାଇଁ ବ୍ୟବସାୟ ଦିଗରେ ଆଗ୍ରହ ରଖି ଜୀବନର ସଂଘର୍ଷ ଭିତରେ ନିଜକୁ ଏକ ପରିଚୟ ଦେଇ ପାରିଛନ୍ତି ରିତୁ।
ଟେଲରିଂ କାମ ମାଧ୍ୟମରେ ନିଜେ ସ୍ବାବଲମ୍ବୀ ହେବା ସହ ଆଠ ଜଣଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି। ରିତୁ ମହିଳା, ପୁରୁଷ ଓ ଛୋଟ ପିଲାଙ୍କ ପାଇଁ ପୋଷାକ କଷ୍ଟମାଇଜ୍ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ସିଲେଇ କାମରୁ ଯେଉଁ ରୋଜଗାର ହେଉଛି ସେଥିରେ ସେ ସ୍ବାବଲମ୍ବୀ ହୋଇପାରିଛନ୍ତି।
ଏଥିସହିତ ରିତୁ ବିଭିନ୍ନ ରାଜ୍ୟର ବୁଣାକାରଙ୍କ ହାତ ତିଆରି କପଡା ମଧ୍ୟ ନିଜ ଷ୍ଟୋର୍ ରେ ବିକ୍ରି ପାଇଁ ରଖିଛନ୍ତି। ମାର୍କେଟରେ ଚାହିଦା ଥିବା ସୂତା କପଡା ଯଥା ସମ୍ବଲପୁରୀ, ଇକଟ୍, ଅଜରଖ, କଲମକାରୀ ଏବଂ ପ୍ରିଣ୍ଟେଡ୍ ସୂତା କପଡା ଏହି ଗରମ ସମୟରେ ଲୋକେ ଅଧିକ ପସନ୍ଦ କରୁଥିବା କଥା ରିତୁ କହିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ଵର ସହର କଲେଜ ରୋଡ୍ ସ୍ଥିତ ରହୁଥିବା ଅନୀଲ କୁମାର ଓ ମାଧୁରୀଙ୍କ ଝିଅ ହେଲେ ରିତୁ ଝଲାନୀ। ରିତୁ ୨୦୧୪ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ପରେ ବାହାଘର ପାଇଁ ରିତୁ ଚାକିରି ଛାଡ଼ିଦେଇଥିଲେ। ମାତ୍ର ବିବାହ ଜୀବନ ମଧ୍ୟ ତାଙ୍କର ସଫଳ ହେଲା ନାହିଁ। ଫଳରେ ରିତୁ ବିହାରରୁ ବାଲେଶ୍ଵରକୁ ଫେରି ଆସିଥିଲେ।
ବାହାଘର ପରେ ରିତୁ ଶାଢୀ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ସେତେବେଳେ ସେ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇପାରୁନଥିଲେ। ବିବାହ ବିଚ୍ଛେଦ ଓ ବାଲେଶ୍ଵର ଫେରିବା ପରେ ରିତୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ନିଜ ଘରୁ ଏହି ବ୍ୟବସାୟ ଚଳାଉଥିଲେ। ୨୦୧୭ ମସିହାରୁ ପ୍ରଥମେ ଛୋଟ କରି ଆରମ୍ଭ ହୋଇଥିବା ବ୍ୟବସାୟ ପରେ ସଫଳ ହୋଇପାରିଛି। କାରଣ ଦୀର୍ଘ ବର୍ଷ ସଂଗ୍ରାମ ପରେ ସହରର ମଠସାହିଠାରେ ରିତୁ ନିଜର ଷ୍ଟୋର୍ ଆରମ୍ଭ କରିଥିଲେ। ଯେଉଁଠି ସେ ପ୍ରଥମେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର ଏକ ବର୍ଷ ଭିତରେ ରିତୁ ଆଠ ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ରୋଜଗାରକ୍ଷମ କରିପାରିଛନ୍ତି। ଏଥିମଧ୍ୟରୁ ୪ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ଯେଉଁମାନେ ସିଲେଇ କାମ କରି ସ୍ବାବଲମ୍ବୀ ହୋଇଛନ୍ତି। ଗ୍ରାହକଙ୍କ ମନ ପସନ୍ଦର ପୋଷାକ ସିଲେଇ କାମ କରୁଛନ୍ତି।
ବିଶେଷକରି ସମ୍ବଲପୁରୀ, ପଶାପାଲି, ଇକଟ୍, କଲମକାରୀ, ହସ୍ତତନ୍ତ ସୂତା ପୋଷାକ, ଏମ୍ବ୍ରୋଡରୀ ବ୍ଲେଜର୍, ଟପ୍ , ବ୍ଲାଉଜ୍ ଆଦି ମହିଳା , ଛୋଟ ପିଲା ଓ ପୁରୁଷଙ୍କ ସାର୍ଟ ଆଦି କଷ୍ଟମାଇଜ୍ କରୁଛନ୍ତି। ପ୍ରତି ମାସରେ ୩୦/୪୦ ରୁ ପୋଷାକ ସିଲେଇ କରୁଛନ୍ତି। ବାଲେଶ୍ୱର ସମେତ ଭୁବନେଶ୍ୱରରୁ ମଧ୍ୟ ଏଠାକୁ ଅର୍ଡର ଆସୁଛି ବୋଲି ରିତୁ କହିଛନ୍ତି। ତେବେ ସମସ୍ୟା ଥିଲେ ଏହାର ସମାଧାନ ଅଛି ଏବଂ ଆଗ୍ରହ ଥିଲେ ଜୀବନ ଆଗକୁ ଯିବାର ଉପାୟ ବି ଅଛି, ଯାହା ରିତୁଙ୍କ ସଂଘର୍ଷରୁ ଜଣାପଡ଼େ।