ତିନି ଶିଶୁ ପୁତ୍ରଙ୍କୁ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାଡ଼ି ବାପା ଫେରାର୍ !

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ତିନି ଶିଶୁ ପୁତ୍ରଙ୍କୁ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାଡ଼ି ବାପା କେଉଁଆଡେ ଚାଲି ଯାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣ ସିଂହପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ସୂଚନା ଅନୁସାରେ କଲ୍ୟାଣ ସିଂହପୁର ବ୍ଲକ ନିୟମଗିରି ପାହାଡ ପାରସାଲି ପଞ୍ଚାୟତ ଅର୍ନ୍ତଗତ ପାରାମାଲି ଗାଁର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ସିତା କାଡ୍ରାକା ନିଜ ଦିବ୍ୟାଙ୍ଗ ପୁଅ ବିଜୁ କାଡ୍ରାକା ବୟସ ୫ ଙ୍କୁ ଶନିବାର ମଧ୍ୟାହ୍ନ ୨ଟା ସମୟରେ ଚିକିତ୍ସା ପାଇଁ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସା ପାଇଁ ବିଜୁ ଓ ଅନ୍ୟ ଦୁଇ ପୁଅଙ୍କୁ ଛାଡ଼ି ବାପା ସିତା କେଉଁଆଡ଼େ ଚାଲିଯାଇଥିଲେ। ତେବେ ବିଜୁର ଚିକିତ୍ସା ପରେ ବାପାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଖୋଜିଥିଲେ ହେଁ ପାଇ ନ ଥିଲେ। ଇତି ମଧ୍ୟରେ ଅନ୍ୟ ଦୁଇ ପୁଅ ବିକଳ ହୋଇ କାନ୍ଦୁଥିବା ଦେଖି ପାଖରେ ଥିବା ସହୃଦୟ ବ୍ୟକ୍ତି ଓ ଅଙ୍ଗନବାଡି କର୍ମୀ ପୁଅ ମାନଙ୍କୁ ବିସ୍କୁଟ ଓ ପାଉଁରୁଟି ଖୁଇଆ ଥିଲେ। ଦୀର୍ଘ ସମୟ ଧରି ସିତା ନ ଫେରିବାରୁ ମେଡ଼ିକାଲ କର୍ତ୍ତୃୃପକ୍ଷ କଲ୍ୟାଣ ସିଂହପୁର ଆଇଆଇସି ନୀଳକଣ୍ଠ ବେହେରାଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଶ୍ରୀ ବେହେରା ଓ ପୋଲିସ ଟିମ୍‌ ସହ ସନ୍ଧ୍ୟା ୭.୩୦ରେ ମେଡିକାଲରେ ପହଞ୍ଚିଥିଲେ। ସିତାଙ୍କୁ କଲ୍ୟାଣ ସିଂହପୁରରେ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ତିନି ପିଲାମନଙ୍କୁ ‘ଓଡ଼ିଆ ବାର୍ତ୍ତା’ର ପ୍ରତିନିଧି ପଦ୍ମନ ଭତ୍ରାଙ୍କ ଚେଷ୍ଟା ବଳରେ ପାରସାଲି ପଞ୍ଚାୟତ ସମିତି ସଭ୍ୟ ବିକାଶ ବାଗଙ୍କୁ ଡକାଇ ତାଙ୍କ ଜରିଆରେ ପାରାମାଲି ନେଇ ସେଠାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଆଇଆଇସି ବେହେରା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.