ଜାତୀୟ ଶିକ୍ଷାନୀତି ୨୦୨୦ : ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ପୁନଃସଜ୍ଜୀକରଣ ଉପରେ ଅନୁଷ୍ଠିତ ହେଲା ଦିନିକିଆ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାରତର ଶିକ୍ଷା ପରିଦୃଶ୍ୟକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ କେବଳ ଏକ ନୀତିନାମା ନୁହେଁ, ବରଂ ଆଗାମୀ ପିଢ଼ିକୁ ଦୃଢ଼ ଓ ସାମଗ୍ରିକ ଶିକ୍ଷା ଦେବାରେ ଏକ ପଥପ୍ରଦର୍ଶକ। ଏହି ପ୍ରସଙ୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଦିନିକିଆ କର୍ମଶାଳାରେ, ଶିକ୍ଷକ-ଶିକ୍ଷା ପାଠ୍ୟକ୍ରମର ପୁନଃସଜ୍ଜୀକରଣ ଦିଗରେ ଏକ ପ୍ରାୟୋଗିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସଫଳ ଭାବରେ ଅନୁଷ୍ଠିତ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଯୋଗ ଦେଇଥିଲେ । ଏଥିସହିତ ସ୍ନାତକୋତ୍ତର ଶିକ୍ଷା ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର, ଭୁବନେଶ୍ୱରର‌ ଅଧ୍ୟକ୍ଷ ଏସ. ସି. ପଣ୍ଡା ଯୋଗ ଦେଇ ପାଠ୍ୟଖସଡ଼ା ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ପରେ ବକ୍ତା ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡର ପ୍ରାଧ୍ୟାପକ ଓ ଡିନ୍, ପ୍ରଫେସର ତପନ କୁମାର ବସନ୍ତିଆ ଯୋଗଦେଇ ପାଠ୍ୟଖସଡ଼ା ପ୍ରସ୍ତୁତିର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ। ଉଦଘାଟନୀ ପର୍ବର ସମାପ୍ତିରେ ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ରଞ୍ଜନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ପ୍ରଫେସର ଏସ. ସି. ପଣ୍ଡା ନୂତନ ଶିକ୍ଷା ନୀତି ୨୦୨୦ ପାଇଁ ଶିକ୍ଷଣ ଶିକ୍ଷା ପାଠ୍ୟକ୍ରମର ପୁନଃସଜ୍ଜୀକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

ଦ୍ବିତୀୟ ଅଧିବେଶନରେ ପ୍ରଫେସର ବସନ୍ତିଆ ମଧ୍ୟ ପାଠ୍ୟଖସଡ଼ା ପ୍ରସ୍ତୁତି ଓ ତାହାର ଦିଗ ବିଷୟରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ବୟସ ଓ ସ୍ତର ଅନୁସାରେ ପାଠ୍ୟଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ପାଠ୍ୟଖସଡ଼ାର ପୁନଃସଜ୍ଜୀକରଣ କିପରି ଶିକ୍ଷାର ମାନ ବୃଦ୍ଧି କରିପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମନ୍ୱିତ ବି.ଏଡ୍ -ଏମ୍.ଏଡ୍ ତୃତୀୟ ବର୍ଷର‌ ଛାତ୍ରୀ ସାଧନା କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.