ଫକୀରମୋହନ ସାହିତ୍ୟ ପରିଷଦର ପକ୍ଷରୁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ‘ସାହିତ୍ୟଶ୍ରୀ’ ପୁରସ୍କାର, ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କୁ ‘ଉଦୟ ପ୍ରତିଭା ପୁରସ୍କାର’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଆସନ୍ତା ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୪ତମ ଜୟନ୍ତୀ ଓ ପରିଷଦର ୭୯ତମ ବାର୍ଷିକ ଉତ୍ସବ ପାଳନ କରାଯିବ।

ଏହି ଅବସରରେ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ୨୪ଜଣ ଲବ୍ଧପ୍ରତିଷ୍ଠ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷ ବିଶିଷ୍ଟ କଥାକାର ପ୍ରଫେସର ରାମଚନ୍ଦ୍ର ଚେହେରା ପାଇବେ ପରିଷଦର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟଶ୍ରୀ’ ପୁରସ୍କାର। ସେହିପରି ଯୁବଲେଖିକା ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କୁ ‘ହାଜି ଅସରଫ ଅଲ୍ଲୀ ଉଦୟ ପ୍ରତିଭା’ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଏହାବ୍ୟତୀତ ସନ୍ତୋଷ ରଥ (ପ୍ରବନ୍ଧ), ଡକ୍ଟର ଦିଲୀପ କୁମାର ସ୍ୱାଇଁ (ସମାଲୋଚନା), ଇନ୍ଦିରା ଦାଶ (କବିତା), ଅରବିନ୍ଦ ରାୟ (ଗଳ୍ପ), ଭାନୁମତୀ ସାହୁ (ଉପନ୍ୟାସ), ମିହିର ମେହେର (ନାଟକ), ପ୍ରଶାନ୍ତ ଦାସ (ଗୀତିକବିତା), ସତ୍ୟନାରାୟଣ ପଣ୍ଡା (ଅନୁବାଦ), ବାଇଡଙ୍କ ବାବା (ବ୍ୟଙ୍ଗ ସାହିତ୍ୟ), ସୁଚିତ୍ରା ପାଣିଗ୍ରାହୀ (ଶିଶୁ ସାହିତ୍ୟ), ଶ୍ରୀକାନ୍ତ ଚାଟ୍ଟାର୍ଜୀ (ସମ୍ବାଦ ସାହିତ୍ୟ), ଜ୍ଞାନରଂଜନ ପତି (ଜଗନ୍ନାଥ ସଂସ୍କୃତି ସାହିତ୍ୟ), ମୈତ୍ରେୟୀ କମିଳା (ସାହିତ୍ୟ ସଂଗଠନ), ସୁଶାନ୍ତ ନାୟକ (ପତ୍ରିକା ସଂପାଦନା), ସନ୍ତୋଷ ପାତ୍ର (ସାହିତ୍ୟ ଓ ସମାଜସେବା), ସିନ୍ଧୁ ସେନ (ଆଧ୍ୟାତ୍ମିକ ସାହିତ୍ୟ), ପୁଷ୍ପାଞ୍ଜଳି କର (ଭ୍ରମଣ ସାହିତ୍ୟ), ପ୍ରତିଭା ଦାସ (ଆତ୍ମଜୀବନୀ), ଅନିନ୍ଦିତ ଦାସ (ସଙ୍ଗୀତଶ୍ରୀ), ମନୋରଞ୍ଜଜନ ପଣ୍ଡା (ବାଦ୍ୟଯନ୍ତ୍ର ବିଶାରଦ), ଜୟକୃଷ୍ଣ ପାଣିଗ୍ରାହୀ (ବିଜ୍ଞାନ ସାହିତ୍ୟ), କେଦାର ନାୟକ (ଚିତ୍ରକଳା)ଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରା‌ଯିବ। ଏବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତିଙ୍କୁ ‘ପରିଷଦ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ।

ଚାରିଦିନ ବ୍ୟାପି ସାହିତ୍ୟ ସଭା, ବିଭିନ୍ନ ପ୍ରତିଯୋଗିତା, ଯୁବ ଉତ୍ସବ ଓ ନାଟକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.