ବାଲେଶ୍ୱରରେ ତାତିର ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ସହରରେ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୯ଟାରୁ ହିଁ ସୂର୍ଯ୍ୟଙ୍କ ପ୍ରଖର ତାପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଆଜି ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଏହା ୫୦ ଡିଗ୍ରୀ ସେଲସିୟସ ପରି ଅନୁଭୂତ ହେଉଛି। ଗ୍ରୀଷ୍ମ ପ୍ରବାହ ସହ ଦକ୍ଷିଣ-ପୂର୍ବ ଦିଗରୁ ଘଣ୍ଟାପ୍ରତି ୧୩ ମାଇଲ ବେଗରେ ଗରମ ପବନ ବହୁଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ଅର୍ଥାତ୍ ୨୦୨୫ ମସିହା ମେ’ ମାସରେ ବାଲେଶ୍ୱରର ହାରାହାରି ସର୍ବାଧିକ ତାପମାତ୍ରା ଥିଲା ୩୭.୪°C ବା ୯୯.୩° ଥିଲା। ସେହି ତୁଳନାରେ ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମ୍ ଥିଲେ ମଧ୍ୟ ଆର୍ଦ୍ରତା ୬୭% ରହିବା ଯୋଗୁଁ ଗୁଳୁଗୁଳି ଅସହ୍ୟ ହୋଇପଡିଛି। ଆଜି ସର୍ବନିମ୍ନ ତାପମାତ୍ରା ୨୯°C ରହିବା ସମ୍ଭାବନା ଅଛି।

ପ୍ରଚଣ୍ଡ ଗରମ ଯୋଗୁଁ ବଜାରରେ ଲସି-ପଇଡ଼ ବିକ୍ରି ବୃଦ୍ଧି ପାଇଛି ସତ କିନ୍ତୁ ରାସ୍ତାଘାଟ ଖାଁ ଖାଁ ହୋଇପଡିଛି। ପ୍ରଚଣ୍ଡ ଖରା ତାତି ଯୋଗୁଁ ସହରର ମୁଖ୍ୟ ରାସ୍ତା ଷ୍ଟେସନ ଛକ, ଫାଣ୍ଡି ଛକ, ସିନେମା ଛକ ଓ ରେମୁଣା ଗୋଲେଇ ଦିନ ୧୧ଟା ପରେ ଜନଶୂନ୍ୟ ହୋଇପଡିଛି। ଅତ୍ୟାବଶ୍ୟକ କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଅପରପକ୍ଷେ ଲସି, ସର୍ବତ, ମୃଦୁ ପାନୀୟ, ପଇଡ଼ ପାଣି ଓ ଆଇସ୍କ୍ରିମ୍ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଦୋକାନୀଙ୍କ କହିବା ଅନୁସାରେ ଗତ ସପ୍ତାହ ତୁଳନାରେ ବିକ୍ରି ପ୍ରାୟ ୩ ଗୁଣା ବଢ଼ିଛି। ବିଶେଷକରି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ପଇଡ଼ ଓ ଲସି ପାଇଁ ଲୋକେ ଧାଡି ଲଗାଉଛନ୍ତି। ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଓ ପରାମର୍ଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଅତ୍ୟାବଶ୍ୟକ ନହେଲେ ଦିନ ୧ଟାରୁ ୪ଟା ଯାଏଁ ଘରୁ ନ ବାହାରିବାକୁ କହିଛନ୍ତି। ୟୁଭି ଇଣ୍ଡେକ୍ସ ଆଜି ୧୦ ଅର୍ଥାତ୍ ‘ଅତ୍ୟନ୍ତ ଉଚ୍ଚ’ ସ୍ତରରେ ରହିଛି, ତେଣୁ ଖାଲି ଦେହରେ ଖରାକୁ ଗଲେ ସନ୍ ଷ୍ଟ୍ରୋକ୍ ଆଶଙ୍କା ରହିଛି। ଅଧିକ ପାଣି ପିଇବା, ହାଲୁକା ସୂତା ପୋଷାକ ପିନ୍ଧିବା ଓ ବାହାରକୁ ଗଲେ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨ ଦିନ ଯାଏଁ ତାପମାତ୍ରା ୩୬°C ଆଖପାଖରେ ରହିବ। ଆକାଶ ଆଂଶିକ ମେଘୁଆ ରହିଲେ ମଧ୍ୟ ବର୍ଷାର ସମ୍ଭାବନା ମାତ୍ର ୨୪%।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.