ଚାନ୍ଦିପୁର ରେଞ୍ଜରେ ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ ସଂଖ୍ୟକ ପ୍ରଜନନ: ୧୩୦ ବସାରୁ ୯,୭୬୫ ଛୁଆ ସମୁଦ୍ରକୁ ଫେରିଲେ, ସଫଳତା ହାର ୬୮%

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ବିଶ୍ୱ କଇଁଛ ଦିବସ’ ଅବସରରେ ଚାନ୍ଦିପୁର ୱାଇଲ୍ଡଲାଇଫ୍ ରେଞ୍ଜ ପକ୍ଷରୁ ୨୦୨୬ ମସିହାର ଅଲିଭ ରିଡ଼ଲେ କଇଁଛ ପ୍ରଜନନ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରେଞ୍ଜ ଅଧୀନରେ ଥିବା ୬ଟି କ୍ୟାମ୍ପ ବା ବିଟ୍ ରେ ମୋଟ ୧୩୦ ଟି ବସାରୁ ସଫଳ ପ୍ରଜନନ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଚାନ୍ଦିପୁର ରେଞ୍ଜର ଲଙ୍ଗଳେଶ୍ବର ଓ ଚାନ୍ଦିପୁର ସେକ୍ସନର ୬ଟି କ୍ୟାମ୍ପ ବା ବିଟ୍ ଯଥା ଚୌମୁଖ, ଡଗର, ହଂସକରା, କଷାଫଳ, ପରିଖି ଓ ଚାନ୍ଦିପୁର। ଚଳିତବର୍ଷ ଲଙ୍ଗଳେଶ୍ୱର ସେକ୍ସନ ଚଉମୁଖ ରେ ୭ ହଜାର ୨୩ ଟି ଅଣ୍ଡାରୁ ୬୩ ବସାରୁ ୪ ହଜାର ୫୮୮ ଛୁଆ, ଡଗରାରେ ୨ ହଜାର ୪୦୫ ଅଣ୍ଡାରୁ ୧୮୭୬ ଛୁଆ, ହଂସକରାରେ ୨ ହଜାର ୩୫୩ ଅଣ୍ଡାରୁ ୧୬୫୭ ଛୁଆ, କଷାଫଳରେ ୫୭୬ ଅଣ୍ଡାରୁ ୪୯୫ ଛୁଆ ଏବଂ ଚାନ୍ଦିପୁର ସେକ୍ସନର ପରିଖିରେ ୧୪୬୫ ଅଣ୍ଡାରୁ ୯୮୭ ଛୁଆ ଓ ଚାନ୍ଦିପୁର ରେ ୩୧୬ ଅଣ୍ଡାରୁ ୧୬୨ କଇଁଛ ଜନ୍ମ ହୋଇଛି। ଅର୍ଥାତ୍ ୨୦୨୬ ରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୧୩୮ ଟି ଅଣ୍ଡାଦାନ ହୋଇଥିବା ବେଳେ ୯ ହଜାର ୭୬୫ ଛୁଆ ଫୁଟିଛି। ଏସବୁ ଭିତରୁ ଲଙ୍ଗଳେଶ୍ୱର ସେକ୍ସନର ଚଉମୁଖ କ୍ୟାମ୍ପରେ ସର୍ବାଧିକ ୬୩ଟି ବସା ଚିହ୍ନଟ ହୋଇଛି। ସେଠାରୁ ୭ ହଜାର ୨୩ ଅଣ୍ଡା ମଧ୍ୟରୁ ୪ ହଜାର ୫୮୮ ଛୁଆ ସମୁଦ୍ରକୁ ଯାଇଛନ୍ତି।

ଚଳିତବର୍ଷ ଚାନ୍ଦିପୁର ରେଞ୍ଜରେ ମୋଟ ୧୪ ହଜାର ୧୩୮ ଅଣ୍ଡାରୁ ୯ ହଜାର ୭୬୫ ଛୁଆ ଅର୍ଥାତ୍ ପ୍ରାୟ ୬୮ ପ୍ରତିଶତ ସଫଳତାର ସହ ସମୁଦ୍ରକୁ ଫେରିଛନ୍ତି। ବାକି ୪ ହଜାର ୩୭୩ ଟି ଅଣ୍ଡା ନଷ୍ଟ ହୋଇଛି।
ଚାନ୍ଦିପୁରର ରେଞ୍ଜର୍ ମନୁଓ୍ବାର ଖାନଙ୍କ କହିବା ଅନୁସାରେ, ଚଳିତବର୍ଷ ସମସ୍ତ ବସାଦାନ ବିଚ୍ଛିନ୍ନ ଭାବରେ ହୋଇଥିଲା। ପ୍ରତ୍ୟେକ ବସାକୁ ତାରଜାଲି ଘେରା ଦେଇ ସୁରକ୍ଷା ଦିଆଯାଇଥିଲା। ଏହା ସହ ୨୪ ଘଣ୍ଟିଆ ପାଟ୍ରୋଲିଂ ଓ ସ୍ଥାନୀୟ ‘କଇଁଛ ମିତ୍ର’ଙ୍କ ସହଯୋଗରେ ଛୁଆଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛଡାଯାଇଛି। ମୋଟ ୧୪,୧୩୮ଟି ଅଣ୍ଡାରୁ ୪,୩୭୩ଟି ଅଣ୍ଡା ବିଭିନ୍ନ ପ୍ରାକୃତିକ କାରଣରୁ ନଷ୍ଟ ହୋଇଯାଇଛି। ବନ ବିଭାଗ ସୂଚନା ଦେଇଛି ଯେ ଆହୁରି କିଛି ଅଣ୍ଡା ଫୁଟିବା ବାକି ଅଛି, ତେଣୁ ଶେଷ ସଫଳତା ହାର ଆହୁରି ବଢ଼ିବା ସମ୍ଭାବନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.