ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଉପରେ ଆରମ୍ଭ ହେଲା ୧୦ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦ର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକ, ଶିକ୍ଷାବିତ୍, ଗବେଷକ ଓ ଶିକ୍ଷା କ୍ଷେତ୍ର ସହ ଜଡିତ ବ୍ୟକ୍ତିମାନଙ୍କୁ ସଚେତନ ଓ ସମ୍ବେଦନଶୀଳ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୦ ଦିନିଆ ଜାତୀୟ ଶିକ୍ଷା ନୀତି ଓରିଏଣ୍ଟେସନ୍ ଓ ସେନ୍ସିଟାଇଜେସନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମଟି ମାଲବୀୟ ମିଶନ ଟିଚର୍ ଟ୍ରେନିଂ ସେଣ୍ଟର (ଏମ୍‌ଏମ୍‌ଟିଟିସି), ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଆଣ୍ଡ କଣ୍ଟିନ୍ୟୁଇଂ ଏଡୁକେସନ୍ (ଡିଡିସିଇ) ଏବଂ କଲେଜ ଡେଭେଲପମେଣ୍ଟ କାଉନ୍ସିଲ୍ (ସିଡିସି), ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଳ୍ୟରେ ଆୟୋଜିତ ହେଉଛି। ଜୁନ୍ ୨୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୨ ପର୍ଯ୍ୟନ୍ତ ଚାଲିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀଙ୍କୁ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିବର୍ତ୍ତନଶୀଳ ଦୃଷ୍ଟିଭଙ୍ଗୀ ସହ ପରିଚିତ କରାଇବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାର ସଫଳ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବା।
ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ କଲେଜର ଶିକ୍ଷକ ଓ ଶିକ୍ଷାବିତମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି।କାର୍ଯ୍ୟକ୍ରମରେ ବିଶେଷଜ୍ଞ ଏବଂ ରିସୋର୍ସ ପର୍ସନମାନେ ଶୈକ୍ଷିକ ନେତୃତ୍ୱ, ଉଚ୍ଚ ଶିକ୍ଷା ଓ ସମାଜ, ସମନ୍ୱିତ ଓ ବହୁବିଷୟକ ଶିକ୍ଷା, ଦକ୍ଷତା ବିକାଶ, ଭାରତୀୟ ଜ୍ଞାନ ପରମ୍ପରା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି, ଗବେଷଣା ଓ ବିକାଶ, ଏବଂ ଛାତ୍ର ବିବିଧତା ଓ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ଭଳି ଆଠଟି ପ୍ରମୁଖ ବିଷୟ ଉପରେ ବ୍ୟାଖ୍ୟାନ ଓ ଆଲୋଚନା କରୁଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କୁ ଜାତୀୟ ସ୍ତରର ଶୈକ୍ଷିକ ଚିନ୍ତନଧାରା ଓ ନୂତନ ଶିକ୍ଷାଗତ ପ୍ରବୃତ୍ତି ସହ ଯୋଡ଼ିବାର ସୁଯୋଗ ପ୍ରଦାନ କରୁଛି। ଏହା ସହ ଦେଶର ବିଭିନ୍ନ ପ୍ରାନ୍ତର ଶିକ୍ଷାବିତ୍ ଓ ଗବେଷକମାନଙ୍କ ସହ ଭାବ ବିନିମୟ ଏବଂ ଅନୁଭୂତି ଆଦାନପ୍ରଦାନ ପାଇଁ ଏକ ଉପଯୁକ୍ତ ମଞ୍ଚ ସୃଷ୍ଟି କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି-୨୦୨୦ର ସଫଳ କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନବସୃଜନ, ଅନ୍ତର୍ଭୁକ୍ତିକରଣ ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.