ବାଲେଶ୍ୱର ରେଳ ଷ୍ଟେସନରେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ପାଇଁ ସିପିଆର୍ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରେଳବାଇ ନେଟୱର୍କରେ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ସୁରକ୍ଷା ସଂସ୍କୃତିକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅଧୀନ ନଂ-୨୨ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡ୍ ପକ୍ଷରୁ ବାଲେଶ୍ୱର ରେଳ ଷ୍ଟେସନରେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା, ସିପିଆର୍ (CPR) ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ଏକ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ କର୍ମଚାରୀଙ୍କୁ ଜୀବନ ରକ୍ଷାକାରୀ କୌଶଳ ଓ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ସମ୍ପର୍କରେ ଦକ୍ଷ କରାଇବା, ଯାହାଦ୍ୱାରା ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ସେମାନେ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି ଓ ବିପର୍ଯ୍ୟୟକୁ ଦକ୍ଷତାର ସହ ସମ୍ଭାଳି ପାରିବେ। ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡର ପ୍ରମାଣିତ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଏବଂ ଅଭିଜ୍ଞ ସ୍ୱେଚ୍ଛାସେବୀମାନେ ତାତ୍ତ୍ୱିକ ଓ ବ୍ୟବହାରିକ ଉଭୟ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅଂଶଗ୍ରହଣକାରୀମାନେ ସିପିଆର୍, ବେସିକ୍ ଲାଇଫ୍ ସପୋର୍ଟ (BLS), ଅଟୋମେଟେଡ୍ ଏକ୍ସଟର୍ନାଲ୍ ଡିଫିବ୍ରିଲେଟର୍ (AED) ବ୍ୟବହାର, ରକ୍ତସ୍ରାବ ଓ ଶକ୍ ପରିଚାଳନା, ହାଡ଼ ଭାଙ୍ଗିବା ସ୍ଥିତିରେ ପ୍ରାଥମିକ ଚିକିତ୍ସା, ସୁରକ୍ଷିତ ଭାବେ ଆହତଙ୍କୁ ସ୍ଥାନାନ୍ତରଣ, ଅଗ୍ନି ନିରାପତ୍ତା, ଉଦ୍ଧାର ଓ ନିର୍ଗମନ ପ୍ରକ୍ରିୟା ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ସମ୍ପର୍କରେ ବିସ୍ତୃତ ତାଲିମ ପାଇଥିଲେ। କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ସିପିଆର୍‌ର ସଜୀବ ପ୍ରଦର୍ଶନ। ପ୍ରଶିକ୍ଷାର୍ଥୀମାନେ ସିପିଆର୍ ମାନିକିନ୍ ଉପରେ ଛାତି ଚାପ ପ୍ରୟୋଗ ଓ ଜରୁରୀ ପ୍ରତିକ୍ରିୟା କୌଶଳର ବ୍ୟବହାରିକ ଅଭ୍ୟାସ କରିଥିଲେ। ଏହା ସେମାନଙ୍କୁ ଜରୁରୀ ସମୟରେ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାରେ ସହାୟକ ହୋଇଥିଲା। ପ୍ରଶିକ୍ଷକମାନେ ଜରୁରୀ ପରିସ୍ଥିତିରେ ସତର୍କ ରହିବା, ଦ୍ରୁତ ଓ ପ୍ରଭାବଶାଳୀ ଯୋଗାଯୋଗ କରିବା, ନିଜ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ସହାୟତା କରିବା ଏବଂ ନିରନ୍ତର ଶିକ୍ଷା ଓ ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡର ସଦସ୍ୟମାନେ କହିଥିଲେ ଯେ, ସମୟୋପଯୋଗୀ ପ୍ରଥମିକ ଚିକିତ୍ସା ଏବଂ ତୁରନ୍ତ ସିପିଆର୍ ପ୍ରଦାନ ଅନେକ କ୍ଷେତ୍ରରେ ଜୀବନ ରକ୍ଷା କରିପାରେ। ଏଭଳି ପ୍ରଶିକ୍ଷଣ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କୁ ଯାତ୍ରୀ ଓ ସହକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବାରେ ଅଧିକ ସକ୍ଷମ କରିଥାଏ। ଖଡ଼ଗପୁର ଡିଭିଜନ ପକ୍ଷରୁ ଭବିଷ୍ୟତରେ ମଧ୍ୟ ଏଭଳି କ୍ଷମତା ବିକାଶ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଇ ରେଳବାଇର ଜରୁରୀକାଳୀନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରାଯିବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.