ଦୁର୍ଦ୍ଦଶାରେ ସଢ଼ୁଛନ୍ତି ବସ୍ତିବାସୀ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଅଧିନସ୍ଥ ସର୍ଗିଗୁଡାର ପ୍ରବେଶ ଦ୍ୱାର ଅଳ୍ପ ବର୍ଷା ହେଲେ ପୋଖରୀ ସାଜୁଛି। ନର୍ଲା ଏବେ ଏବେ ଏନଏସି ର ମାନ୍ୟତା ପାଇଛି। କୌଣସୀ ଉନ୍ନୟନ ମୂଳକ କାମ ଆରମ୍ଭ ହୋଇନି। ଏପରିକି ଏନଏସି ପାଇଁ ଅଫିସ ମଧ୍ୟ ହୋଇନି। ଭବାନୀପାଟଣା ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ରହିଥିବା ସର୍ଗିଗୁଡା ଲେବୁଲ କ୍ରସିଂ ଗେଟ ଠାରୁ ନର୍ଲାରୋଡ ଷ୍ଟେସନ ଯିବା ପିଡବ୍ଲୁଡି ରାସ୍ତା ପ୍ରହରୀ ମଣ୍ଡପ ସମ୍ମୁଖରେ ଏବଂ ଗ୍ରାମ ପଞ୍ଚାୟତ ଅଫିସ ପାର୍ଶ୍ୱରେ ସର୍ଗିଗୁଡା ବସ୍ତି ଭିତରକୁ ପ୍ରବେଶ ଦ୍ୱାର ଅଳ୍ପ ବର୍ଷା ହେଲେ ପୋଖରୀ ସାଜୁଛି। ଏବଂ ଏଇଠି ଗାଁ ସାରାର ମଇଳା, ଅସନା ବର୍ଷା ପାଣି ଜମା ହୋଇ ମୁଖ୍ୟ ରାସ୍ତାରେ ଝରଣା ସଦୃଶ ଅନବରତ ବୋହୁଥିବା ଦୃଶ୍ୟମାନ ହେଉଛି। ଏହା ଆଜିକାର ସମସ୍ୟା ନୁହଁ। ସର୍ଗିଗୁଡା ବସ୍ତିକୁ କଂକ୍ରୀଟ ରାସ୍ତା ନିର୍ମାଣ ହେବା ପରଠୁଁ ଏହି ଜଳାର୍ଣ୍ଣବ ସମସ୍ୟା ଲାଗି ରହୁଛି। ମଣିଷ ଚାଲିକି ଯିବା ତ ଦୁରର କଥା ଗାଡି ମୋଟର ଯିବାରେ ମଧ୍ୟ ଅନେକ ଅସୁବିଧା ସୃଷ୍ଟି ହେଉଛି। ଏବେ ସିନା ଏନଏସି ଘୋଷଣା ହୋଇଛି। ଇତି ମଧ୍ୟରେ ଅନେକ ସରପଞ୍ଚ ସେମାନଙ୍କ କାର୍ଯ୍ୟକାଳ ସାରି ଯାଇଛନ୍ତି ହେଲେ ଆଗ୍ରହ ଦେଖାଇ ନାହାନ୍ତି ଗ୍ରାମ ପଞ୍ଚାୟତ ଅଫିସ କାନ୍ଥକୁ ଲାଗିଥିବା ବସ୍ତିର ପ୍ରବେଶ ଦ୍ୱାରକୁ ସଜାଡିବା ପାଇଁ। ଏଇଠି ପ୍ରତିବର୍ଷ ସର୍ଗିଗୁଡାର ମୁଖ୍ୟ ମହୋତ୍ସବ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ସେତେବେଳେ କାଦୁଅ ନହେଉ ଚିନ୍ତାକରି କମିଟି ତରଫରୁ ବାଲି, ରୁଗୁଡି କିମ୍ବା ମୁରୁମ ଗୋଟିଏ ଟ୍ରିପ ଅଣାଯାଇ ପକାଇ ଦିଆଯାଇଥାଏ। ବାସ ସେତିକିରେ ଚାଲିଲା ବର୍ଷସାରା। ମୁଖ୍ୟ ରାସ୍ତା କଡରେ ବିଗତ ୧୫ ବର୍ଷ ଧରି ଲୋକଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି କରୁଥିବା ଏହି କୃତ୍ରିମ ଜଳାଶୟ ପ୍ରତି କୌଣସୀ ନେତା ମନ୍ତ୍ରୀଙ୍କ ଦୃଷ୍ଟି ପଡି ପାରିନି ଯାହା ବହୁତ ବଡ ଦୁର୍ଭାଗ୍ୟର ବିଷୟ। ନିର୍ବାଚନ ଆଗରୁ ଏଇୟା କରିଦେବୁ, ସେଇୟା କରିଦେବୁ ବୋଲି ବାହାସ୍ଫୋଟ ମାରୁଥିବା ନେତାଙ୍କ କେବେ କାଣିଚାଏ ଦୃଷ୍ଟି ପଡିନି ଏହି ଦୁଃଖଦ ସମସ୍ୟା ପ୍ରତି। କିମ୍ବା ଯାହାର ବି ସବୁଦିନେ, ଅନେକ ସମୟରେ ନଜର ପଡୁଛି ସେମାନେ ଅଣଦେଖା କରୁଛନ୍ତି ସର୍ଗିଗୁଡାର ବସ୍ତି ର ପ୍ରଵେଶ ଦ୍ୱାର ପ୍ରତି। ବର୍ଷା ଆରମ୍ଭ ହେଲା ମାତ୍ରକେ ସର୍ଗିଗୁଡା ବସ୍ତି ପଡା ବାସୀଙ୍କ ଦୁର୍ଦ୍ଦଶା କହିଲେ ନସରେ।ଦୀର୍ଘ ୧୫ ବର୍ଷ ଧରି ଏହି ସମସ୍ୟାକୁ ସହ୍ୟ କରି ସର୍ଗୀଗୁଡ଼ା ଲୋକେ ଅଣ ନିସ୍ୱାସୀ ହୋଇପଡିଲେଣି। ଏବେ ଆଗାମୀ ଏନଏସି ନିର୍ବାଚନ ଆସୁ ଆମେ ଏହାର ଜବାବ ମାଗିବୁ ବୋଲି ପ୍ରତିକ୍ରିୟା ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି।





