ପ୍ରଧାନମନ୍ତ୍ରୀ ଜନମନ ଗୃହ ଯୋଜନାର ସମୀକ୍ଷା
ହିତାଧିକାରୀଙ୍କୁ ଶୀଘ୍ର ଘର ଶେଷ କରିବାକୁ ନିର୍ଦେଶ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ବିକାଶ କାର୍ଯ୍ୟ ଓ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନର କାର୍ଯ୍ୟାନ୍ୱୟନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ ବ୍ଲକ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ବିଶେଷ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ଜନମନ ଗୃହ ଗୁଡିକର ଅଗ୍ରଗତି ସମ୍ପର୍କରେ ସ୍ୱୟଂ ଯାଞ୍ଚ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ପ୍ରଥମେ ବନ୍ଧପରି ପଞ୍ଚାୟତ ଅଧୀନରେ ଥିବା କୁବେରୀ, କର୍କାମସ୍କା ଓ କୁଟ୍ରୁଗୁଡ଼ା ଗାଁ ଗୁଡିକୁ ଯାଇ ସେଠାରେ ନିର୍ମାଣ ହେଉଥିବା ଗୃହ ଗୁଡିକର ଗୁଣବତ୍ତା ଓ କାମର ଗତି ଦେଖିଥିଲେ। ଏହାପରେ ସେ ଛତ୍ରପୁର ପଞ୍ଚାୟତର ମସ୍କାପଦର ଓ ଖଜୁରିପଡ଼ା ଗାଁ ଏବଂ ଶେଷରେ ଲାଞ୍ଜିଗଡ଼ ପଞ୍ଚାୟତର କେନ୍ଦୁଗୁଡ଼ା ଗାଁକୁ ଗ୍ରସ୍ତ କରିଥିଲେ। ପ୍ରତିଟି ଗାଁରେ ସେ ହିତାଧିକାରୀମାନଙ୍କ ସହ ସିଧା ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଶ୍ରୀ ପ୍ରଧାନ ହିତାଧିକାରୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଆଦିବାସୀ ଭାଇ ଭଉଣୀମାନଙ୍କ ପାଇଁ ଏକ ବରଦାନ ବୋଲି କହିବା ସହ ସରକାରୀ ସହାୟତାର ସମ୍ପୂର୍ଣ୍ଣ ଲାଭ ନେଇ ଯେତେ ଶୀଘ୍ର ସମ୍ଭବ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବୁଝାଏ ଥିଲେ। ଘର ନିର୍ମାଣରେ କୌଣସି ଅସୁବିଧା ହେଲେ ତୁରନ୍ତ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ କହିଥିଲେ। ସେ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦେଶ ଦେଇଥିଲେ ଯେ ଯୋଜନାର କାର୍ଯ୍ୟାନ୍ୱୟନରେ କୌଣସି ପ୍ରକାରର ବିଳମ୍ବ କିମ୍ବା ଅବହେଳା ଚଳିବ ନାହିଁ। ସମସ୍ତ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତଦାରଖ କଡାକଡି କରିବାକୁ କହିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅମୂଲ୍ୟ ବାହାଲ, ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସ୍ମିତା ବିଶ୍ୱାଳଙ୍କ ସମେତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓମାନେ ଉପସ୍ଥିତ ଥିଲେ।





