ନର୍ଲା ବ୍ଲକରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ପ୍ରସଙ୍ଗ: ଅପ୍ରେଲ ୪ରୁ ଚାଲିଛି ଅସଙ୍ଗତି ସଂଶୋଧନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରେ ଜୁଲାଇ ୧୮ ରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ ଆଇ ଆର ରେ ଶୁଣାଣୀ କାର୍ଯ୍ୟକ୍ରମ। ନୋ ମେପିଂ ସମାପନ ହେବା ପରେ ଅଗଷ୍ଟ ୪ ରୁ ଚାଲିଛି ଅସଙ୍ଗତି ସଂଶୋଧନ କାର୍ଯ୍ୟ। ଏଥିରେ ୧୩ ଗୋଟି ତ୍ରୁଟି ତଥ୍ୟ ଉପରେ ଯାଞ୍ଚ ହେଉଥିବା ଜଣାପଡିଛି। ଏହା ସେପ୍ଟେମ୍ବର ୫ ରେ ଫାଇନାଲ ରିପୋର୍ଟ ପ୍ରକାଶ ପାଇବ। ଗତ ଅପ୍ରେଲ ୧୬ ରୁ ମଇ ୨୫ ଯାଏଁ ଚାଲିଥିଲା ଗୃହ ଗଣନା ଓ ଜନ ଗଣନା କାର୍ଯ୍ୟକ୍ରମ। ଏଥିପାଇଁ ନର୍ଲା ବ୍ଲକ ଅଧିନସ୍ଥ ବିଏଲଓ ଓ ସୁପରଭାଇଜର ମାନଙ୍କୁ ସ୍ୱତନ୍ତ୍ର ଭାବରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଏବଂ ପଞ୍ଚାୟତ ସମିତି ନର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଇଥିଲା। ଦୀର୍ଘ ଦୁଇମାସ ଧରି ଗଣନା କାର୍ଯ୍ୟ ସାରିବା ପରେ ଏବେ ଚାଲିଛି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ। ଗଣନାରେ ଚିହ୍ନଟ ହୋଇଥିବା ଅନେକ ବ୍ୟକ୍ତିଙ୍କ ନାମ, ଗ୍ରାମ, ପିତା ମାତାଙ୍କ ନାମ ସହ ସାମଞ୍ଜସ୍ୟ ରହୁନଥିବା ଦେଖିବାକୁ ମିଳିଥିଲା। ଏଣୁ ଏହି ସଘନ ସଂଶୋଧନ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି। ଜୁଲାଇ ୧୮ ରୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମିଟିଂ ହଲ ରେ କାର୍ଯ୍ୟକ୍ରମର ଇନଚାର୍ଯ ଅଫିସର ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ, ଏମ.ରାମପୁର ର ସବ-ରେଜିଷ୍ଟାର ସୌଦାମିନୀ ମାଝୀ, ନର୍ଲା ବ୍ଲକ ଫାଇନାନ୍ସ ଅଧିକାରୀ ପ୍ରତୀକ ରଥ ପ୍ରମୁଖ ଏହି ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତ୍ୟେକ ଭୋଟର୍ସଙ୍କ ୧୬ ଗୋଟି ଡକ୍ୟୁମେଣ୍ଟକୁ ଯାଞ୍ଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କରୁଥିବା ଜଣାପଡିଛି। ଇନଚାର୍ଜ ଅଫିସର ବିଡିଓ ଙ୍କ ନେତୃତ୍ୱରେ ତହସିଲଦାର ଅନ୍ୟ ତିନିଜଣ ଅଧିକାରୀ, ବିଏଲଓ ୧୫୦ ଜଣ, ସୁପର ଭାଇଜର ୧୫ ଜଣ ଏଭଳି ସମୁଦାୟ ୧୭୦ ଜଣ ଅଧିକାରୀ ଏଥିରେ ନିୟୋଜିତ ଅଛନ୍ତି।ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାଏକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ସୁପରଭାଇଜର କିଶୋର ଭୋଇ, ଫିରୋଜ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ସର୍ଭେର ତଥ୍ୟ ଅନୁଯାୟୀ ମେପିଙ୍ଗ କ୍ଷେତ୍ରରେ ପାଖାପାଖି ୪,୦୦୦ ବ୍ୟକ୍ତି ଓ ଅସଙ୍ଗତି କ୍ଷେତ୍ରରେ ପାଖାପାଖି ୧୧,୦୦୦ ବ୍ୟକ୍ତିଙ୍କ ତଥ୍ୟରେ ତୃଟି ରହିଥିବା ରୁ ସେମାନଙ୍କୁ ନୋଟିସ କରାଯାଇଥିବା ନିର୍ବାଚନ ଅଧିକାରୀ ମତବ୍ୟକ୍ତ କରିଛନ୍ତି। ଏହି ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୫ ଯାଏଁ ଚାଲିବ ବୋଲି ଜଣାପଡିଛି। ଏହି ସଂଶୋଧନ କାର୍ଯ୍ୟ ରେ ନୋଟିସ ପାଇଥିବା ବ୍ୟକ୍ତି ଉପସ୍ଥିତ ରହି ନିଜ ବିଷୟରେ ତଥ୍ୟ ପ୍ରଦାନ କରି ସଂଶୋଧନ କରେଇ ନେବା ଉଚିତ ବୋଲି ଚାର୍ଯ ଅଧିକାରୀ କହିଥିବା ବେଳେ ଯଦି ନୋଟିସ ପାଇଥିବା ବ୍ୟକ୍ତି ନର୍ଲା ବ୍ଲକ କୁ ଆସି ନପାରନ୍ତି ତେବେ ତାଙ୍କର ବିକଳ୍ପ ଭାବରେ ତାଙ୍କ ପ୍ରତିନିଧିଙ୍କୁ, ସମ୍ପର୍କୀୟଙ୍କୁ ପ୍ରେରଣ କରି ଶୁଣାଣିରେ ସହଯୋଗ କରିବା ବିଧେୟ ବୋଲି ଅଧିକାରୀ ଶ୍ରୀ ଦୀପ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.