ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତ ସରଗୁଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସରଗୁଲ ଗ୍ରାମର ଲିଙ୍ଗରାଜ ଭୋଇ ପରିବାର ସହ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟାରେ ୧୬ ଟିକିଆ ହାତୀପଲ ଗ୍ରାମକୁ ପ୍ରବେଶ କରିଥିଲେ। ହାତୀମାନେ ତାଙ୍କ ଘରକୁ ଭାଙ୍ଗି ଦେବାରୁ କାନ୍ଥ ଓ କାଠ ସାମଗ୍ରୀ ପରିବାର ସଦସ୍ୟଙ୍କ ଉପରେ ଚାପି ପଡ଼ିଥିଲା। ଏଥିରେ ପରିବାରର ୪ ଜଣ ଆହତ ହୋଇଥିଲେ। ଲିଙ୍ଗରାଜ ଭୋଇ କଷ୍ଟେମଷ୍ଟେ ଘରୁ ବାହାରି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବା ସହ ସେମାନଙ୍କୁ ଉଦ୍ଧାର କରି ମୁରିବାହାଲ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗର କର୍ମଚାରୀ ପହଞ୍ଚି ଆହତମାନଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲେ। ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବନ ବିଭାଗ ସୂଚନା ଦେଇଛି। ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ଓ ଆର୍ଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ନିୟମାନୁଯାୟୀ କ୍ଷତିପୂରଣ ଓ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବାରୁ ପରିବାର ଲୋକେ ବାସହରା ହୋଇଯାଇଛନ୍ତି। ଘରର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି। ତୁରନ୍ତ ଆବାସ ଯୋଜନାରେ ଘର ଏବଂ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ନିବେଦନ କରିଛନ୍ତି।





