ନର୍ଲାରୋଡ ଷ୍ଟେସନରେ ପୁନଃ ଏକ୍ସପ୍ରେସ ଟ୍ରେନ ରହଣୀ ପ୍ରସଙ୍ଗ…….: ପୁଣି ନିରାଶ ହେଲେ ନର୍ଲା ଅଞ୍ଚଳବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନରେ କୋଭିଡ ପୂର୍ବରୁ ରହଣୀ ରହି ଆସୁଥିବା ଏବଂ କୋଭିଡ ପରେ ଏକ୍ସପ୍ରେସ ଟ୍ରେନ ଗୁଡିକୁ ଏହି ଷ୍ଟେସନରେ ଷ୍ଟପେଜ ବନ୍ଦ କରିଦେବା ନେଇ ୨୦୨୨ ରୁ ଚାଲି ଆସୁଛି ଆନ୍ଦୋଳନ। ନର୍ଲା ସ୍ୱାଭିମାନ ମଞ୍ଚ, ନର୍ଲା ରେଳଯାତ୍ରୀ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ସମୟରେ ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇ ଆସିବା ପରେ ମଧ୍ୟ ଅଞ୍ଚଳବାସୀଙ୍କ ମୁଖ୍ୟ ଦାବୀ ରହି ଆସୁଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସମେତ, ପୁରୀ- କୋରାପୁଟ, ଇସ୍ପାତ ଏକ୍ସପ୍ରେସ ଟ୍ରେନ, ଏର୍ଣ୍ଣାକୁଲମ ଏକ୍ସପ୍ରେସ ଟ୍ରେନ ଗୁଡିକର ନର୍ଲାରୋଡ ରେଳ ଷ୍ଟେସନ ରେ ଷ୍ଟପେଜ ପାଇଁ ଦାବୀ ରଖାଯାଇଥିଲା। ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଦାବୀ ଜଣାଇଲେ ମଧ୍ୟ କର୍ଣ୍ଣପାତ ନ କରିବାରୁ ଜୁଲାଇ ୧ ରେ ନର୍ଲା ସ୍ୱାଭିମାନ ମଞ୍ଚ ତରଫରୁ ହଜାର ହଜାର ଲୋକଙ୍କୁ ନେଇ ନର୍ଲାରୋଡ ରେଳ ଷ୍ଟେସନ ରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଡିଏନ ଅଙ୍କିତ ମିଶ୍ର ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦାବୀ ରହିଥିବା ଟ୍ରେନ ଗୁଡିକ ମାସଟେ ମଧ୍ୟରେ ରହଣୀ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆନ୍ଦୋଳନର ଦୁଇମାସ ପରେ ମଧ୍ୟ ବିଭାଗ ଲୋକଙ୍କୁ ଭୁଆଁ ବୁଲାଇବାରୁ ଅଗଷ୍ଟ ୨୫ ତାରିଖରେ ପୁଣି ଜିଏମଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲା ସ୍ୱାଭିମାନ ମଞ୍ଚ ନର୍ଲା। ଯଦି ଶିଘ୍ର ଦାବୀ ପୁରଣ କରାନଯାଏ ତାହେଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପୁଣି ରେଳରୋକ କରିବ ସ୍ୱାଭିମାନ ମଞ୍ଚ। ଏହାପରେ ସ୍ୱାଭିମାନ ମଞ୍ଚ ନର୍ଲା ତରଫରୁ ସମ୍ପାଦକ ଦୀପୁ ପାତ୍ର ଓ ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରି ସମସ୍ତ ସମସ୍ୟା ଓ ରେଳ କତ୍ତୃପକ୍ଷଙ୍କ ଅବହେଳା ଜଣାଇବା ପରେ ମାଳବିକା ଦେବୀ ଜିଏମଙ୍କ ସହ ଆଲୋଚନା କରିବା ପରେ ସପ୍ତାହକୁ ଦୁଇଦିନ ଚାଲୁଥିବା ବିଲାସପୁର- ତିରୁପତି ଏକ୍ସପ୍ରେସ ର ରହଣୀ ନର୍ଲାରୋଡ ରେ ଦେଇଛି ବିଭାଗ। ପତ୍ର ସଂଖ୍ୟା ୨୩୯/୨୦୨୬, ତା ୧/୯ ରେ ଜାଣିବାକୁ ମିଳିଛି ଟ୍ରେନ ରହଣୀ ପ୍ରସଙ୍ଗ। ହେଲେ ନର୍ଲା ଅଞ୍ଚଳବାସୀଙ୍କ ମୁଖ୍ୟ ଦାବୀ ରହିଥିବା ବିଶାଖାପାଟନମ- ନିଜାମୁଦ୍ଦୀନ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଯାହାକି କୋଭିଡ ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନ ରେ ରହଣୀ ରହିଥିଲା ତାର ଷ୍ଟପେଜ ନର୍ଲାରୋଡ ଷ୍ଟେସନ ରେ ନଦେଇ ଏକ ସାପ୍ତାହିକି ଟ୍ରେନର ରହଣି ଦିଆଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଥିପ୍ରତି ମାନ୍ୟବର କଳାହାଣ୍ଡି ସାଂସଦ ଓ ଜିଏମ ଦୃଷ୍ଟି ଦେବାକୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.