ନର୍ଲା ହାଇସ୍କୁଲରେ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନୋଡାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ଉତ୍କଳ ଶିକ୍ଷକ ମହାସଂଘ, ନର୍ଲା ଶାଖା ଆନୁକୂଲ୍ୟରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କିକିଆ ହାଇସ୍କୁଲ ର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସନାତନ ସାହୁ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଉତ୍କଳ ସଂସ୍କୃତ ଶିକ୍ଷକ ସଂଘର ସଭାପତି ସୁବାଷ ଚନ୍ଦ୍ର ବରାଡ, ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ରାଜ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ନରସିଂହ ସାହୁ, ବ୍ଲକ ସଂସ୍କୃତ ସଂଘର ସଭାପତି ଶତ୍ରୁଘ୍ନ ସେଠୀ, ସମ୍ପାଦକ କାର୍ତ୍ତିକ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବହୁ ପ୍ରାଚୀନ ମହାନ ସଂସ୍କୃତ ଭାଷାର ମହାନତା ବିଷୟରେ ଆଲୋଚନା କରିଥିଲେ।

ଏବେ ନର୍ଲା ବ୍ଲକ ର ୨୯ ଗୋଟି ହାଇସ୍କୁଲ ମଧ୍ୟରୁ ୩ ଗୋଟି ହାଇସ୍କୁଲରେ କୌଣସି ବି ଛାତ୍ର ଛାତ୍ରୀ ସଂସ୍କୃତ ବିଷୟ ଗ୍ରହଣ କରି ନଥିବାରୁ ସେହି ସ୍କୁଲ ଗୁଡିକର ସଂସ୍କୃତ ଶିକ୍ଷକ ଖାଲି ଖାଲି ବସିଛନ୍ତି। କେତେକ ସ୍ଥାନର ଛାତ୍ର ଛାତ୍ରୀ ଆମ ସନାତନ ଧର୍ମର ପ୍ରାଚୀନ ଭାଷା ସଂସ୍କୃତ ଭାଷା ପ୍ରତି ଧିରେ ଧିରେ ଆଗ୍ରହ ଓ ଋଚି କମି ଯାଉଥିବାରୁ ଅତିଥି ବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ।

ପଶ୍ଚିମାଭିମୁଖି ସଭ୍ୟତା ଓ ସମାଜ ରେ ଏବେ ବିଲୁପ୍ତ ହେବାକୁ ଯାଉଥିବା ସଂସ୍କୃତ ଭାଷା କୁ ପୁନରୁଦ୍ଧାର ଓ ପ୍ରସାର ଏକାନ୍ତ ଆବଶ୍ୟକ ଓ ଏଥିପାଇଁ ଆଗାମୀ ପୀଢ଼ି ଛାତ୍ର ଛାତ୍ରୀ ଦୃଢ ପରିକର ହେବା ବିଧେୟ ବୋଲି ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଇତ୍ୟବସରରେ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ହାଇସ୍କୁଲ ରେ ୨୦୨୫/୨୦୨୬ ମ୍ୟାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ମଞ୍ଚରେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂସ୍କୃତ ଶିକ୍ଷକ ଶ୍ରୀଧର ବେହେରା ଓ ତୁଳାପଡା ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ବୁଡ଼ୁ ପାନ ମଞ୍ଚ ସଂଯୋଜନା କରିଥିଲେ। ଆୟୋଜକ ନର୍ଲା ନୋଡାଲ ହାଇସ୍କୁଲ ର ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ନୋଡାଲ ହାଇସ୍କୁଲ ର ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜ, ରାତୁଲ ହାଇସ୍କୁଲ ର ସଂସ୍କୃତ ଶିକ୍ଷୟତ୍ରୀ ଅପର୍ଣ୍ଣା ସ୍ୱାଇଁ ଓ ରାକସୀ ସରକାରୀ ହାଇସ୍କୁଲ ର ସଂସ୍କୃତ ଶିକ୍ଷୟତ୍ରୀ ରୀନା ପରିଡା ପ୍ରମୁଖ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସଂସ୍କୃତ ଭାଷା ବ୍ୟବହାରରେ ପରିଚାଳିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.