ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ୭୭ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଶ୍ୱନାଥପୁର ମା’ ହିରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କଙ୍କନ କୁମାର ରାୟ ଯୋଗ ଦେଇ କଳାହାଣ୍ଡିର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ ଓ କଳାହାଣ୍ଡିର ପ୍ରାଚୀନ ନାମ ମହାକାନ୍ତାର ଥିଲା। ଇନ୍ଦ୍ରାବତୀ ଉପତ୍ୟକାର ଅସୁରଗଡ଼ ସଭ୍ୟତା, ପ୍ରାଚୀନ ମୁଦ୍ରା, ପ୍ରସ୍ତର ହତିଆର ଏହାର ପ୍ରାଚୀନତାର ପ୍ରମାଣ। ମା’ ମାଣିକେଶ୍ୱରୀ ହେଉଛନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ। ଘୁମର ନୃତ୍ୟ, ଢୋଲ, ନିଶାନ, ମାଦଳ ଏବଂ ବିଶ୍ୱ ପ୍ରସିଦ୍ଧ କଳାହାଣ୍ଡି ହସ୍ତଶିଳ୍ପ ଆମର ପରିଚୟ। କୃଷି, ସଂସ୍କୃତି ଓ ପ୍ରାକୃତିକ ସମ୍ପଦରେ ଭରପୁର କଳାହାଣ୍ଡି ୧୯୪୮ ମସିହା ନଭେମ୍ବର ୧ ତାରିଖରେ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠିତ ହୋଇଥିଲା ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ବରିଷ୍ଠ ନାଗରିକ ରଘୁବୀର ପ୍ରଧାନ, ସମାଜସେବୀ ଲକ୍ଷ୍ମୀଧର ସନ୍ତୋଷ ରାୟ, ବିଶ୍ଵନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ମାଧବାନନ୍ଦ ବିରି ପ୍ରମୁଖ ଜିଲ୍ଲାର ପ୍ରଗତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସିଆରପି ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।





