ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦୁକାଲଘାଟରୁ ନାଗଫେଣା ଗାଁ ଯାଏ ଯାଇଥିବା ମୁଖ୍ୟ ରାସ୍ତାକୁ ଲାଗି ଲାନ୍ଥ ନଦୀ ବହି ଯାଉଥିବା ବେଳେ ବର୍ଷାରେ ବିଭିନ୍ନ ସ୍ଥାନରେ ନଦୀ ତଟ ମାଟି ଧସି କ୍ଷତିଗ୍ରସ୍ତ ହେଉଛି। ମାଟି ଧସିଥିବା ସ୍ଥାନରେ ଭବିଷ୍ୟତରେ ଘାଇ ସୃଷ୍ଟି ହୋଇ ମୁଖ୍ୟ ରାସ୍ତା ଧୋଇଯିବା ସହ ନଦୀର ଗତିପଥ ପରିବର୍ତ୍ତନ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହା ଦ୍ୱାରା ଦୁକାଲଘାଟ ଗାଁର ପୀତବାସ ଦନ୍ତା, ବିଷ୍ଣୁ ଦନ୍ତା, ପରମେଶ୍ୱର ଦନ୍ତା, ବାଳକୃଷ୍ଣ ଦନ୍ତା, ବିନାକାର ଦନ୍ତା, ସାଧବ ମାଝୀ, ହେମନ୍ତ ମାଝୀ, ନାଗଫେଣା ଗାଁର ବସୁ ନାଗ, ଅଭି ନାଗ, ମହେନ୍ଦ୍ର ନାଗ, ବିଷ୍ଣୁ ନାଗ, ଜଳ ନାଗ, ଯୁଗନିଧି ନାଗ, ସୁରେଶ ନାଗ, ଶ୍ରୀବତ୍ସ ମେର୍ଲି, ଶମ୍ଭୁ ମେର୍ଲି, ଦୟାସାଗର କର୍ମୀ, ବିଷ୍ଣୁ ମାଝୀ, ଦାମ ମେଶ୍ଵା ପ୍ରମୁଖ ଚାଷୀଙ୍କ ଶହ ଶହ ଏକର ଚାଷଜମି କ୍ଷତିଗ୍ରସ୍ତ ହେବ। ଏନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି। ନଦୀ କୂଳେ କୂଳେ ଯାଇଥିବା ରାସ୍ତା ମଧ୍ୟ ଭାଙ୍ଗିଯାଇ ଯାତାୟାତ ବାଧାପ୍ରାପ୍ତ ହେବ। ଏଭଳି ସ୍ଥିତିରେ ପଥର ପ୍ୟାକିଙ୍ଗ କରାଯାଇ ଲାନ୍ଥ ନଦୀ ତଟକୁ ସୁଦୃଢ କରାଯିବା ନେଇ ସରକାର ତଥା ପ୍ରଶାସନ ଅବିଳମ୍ବେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।





