ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡାଠାରେ ରବିବାର ପ୍ରସିଦ୍ଧ ‘ଦଣ୍ଡପାଟ ଦଶରା’ ମହୋତ୍ସବ ଶୁଭାରମ୍ଭ ହୋଇଛି। ପାରମ୍ପରିକ ଖଣ୍ଡାଧୁଆ ଯାତ୍ରା ସହ ଘାଟି ମୁଣ୍ଡିଆଣୀ ମା’ ସର୍ବମଙ୍ଗଳାଙ୍କ ଏହି ବାର୍ଷିକ ଦଶରା ଉତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ଦଶରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶ୍ରଦ୍ଧାମୟ ପରିବେଶ ସୃଷ୍ଟି ହୋଇଛି। ରବିବାର ସକାଳୁ ପୂଜକ ମନୋହର ପୁଝାରୀଙ୍କ ଦ୍ୱାରା ଦେବୀଙ୍କ ପୂଜାର୍ଚ୍ଚନା ନୀତିକାନ୍ତି ସମ୍ପୂର୍ଣ୍ଣ କରାଯିବା ପରେ ଅପରାହ୍ନରେ ଗାଁ ପୋଖରୀରେ ଦେବାଦେବୀଙ୍କ ଖଣ୍ଡାସବୁ ମାର୍ଜନା (ଧୁଆ) କରାଯାଇଥିଲା। ଏହି କ୍ରମରେ ଗୋତମୁଣ୍ଡା ଗ୍ରାମରେ ଆଦିବାସୀ ଲୋକନୃତ୍ୟ, କୁରେଇ ଫୁଲ, ଘଣ୍ଟା ଦଳ ଏବଂ ‘ଢେମସା’ ତାଳେ ତାଳେ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ରୁତୁରାଜ ମାଝୀ, ଗୋପିନାଥ ମହାନନ୍ଦ, ଡାକେଶ୍ବର ଲହଜଲ, ତିଳୋତ୍ତମା ନାଏକ, ଈଶ୍ୱର ଲାଲ୍ ଅଗ୍ରୱାଲ, ଲିପୁ ମହାନ୍ତି, ଜଗା ସାହୁ, ଗୋପୀନାଥ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ। ଏହାପରେ ଦେବୀଙ୍କ ପ୍ରତିମା ସ୍ୱରୂପ କାଳିଶୀମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ଅଣାଯାଇଥିଲା। ସନ୍ଧ୍ୟାରେ ମଞ୍ଚ ଉଦଘାଟନ ସହ ଦେବାଦେବୀଙ୍କ ଖଣ୍ଡା ସ୍ଥାପନ କରାଯାଇଥିଲା ଏବଂ କାଳିଶୀମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ମହୋତ୍ସବ ଆଜିଠାରୁ ୩ ଦିନ ଧରି ଚାଲିବ। ପ୍ରଥମ ଦିନ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସକାଳେ ପୀଠ ପୂଜା ଓ ରାତିରେ ନାଟକ ପ୍ରତିଯୋଗିତା ଏବଂ ମଙ୍ଗଳବାର ସକାଳେ ବାର୍ଷିକ ଦଶରା ପୂଜା ସହ ରାତିରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗୋତମୁଣ୍ଡା ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କଳାହାଣ୍ଡି, ନବରଙ୍ଗପୁର ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଟି ସଭାପତି ହେମନ୍ତ ମାଝୀ, ପୂର୍ଣ୍ଣ ଚନ୍ଦ୍ର ନାଏକ, ଯଦୁମଣି ଦୂର୍ଗା, ତୁଲାରାମ ଗୋପାଳ, ରୋମାଞ୍ଚଳ ପୁଝାରୀ, ଦ୍ରୋଣ ଚାର୍ଯ୍ୟ ପୁଝାରୀ, ଭାରତ ଚନ୍ଦ୍ର ପୁଝାରୀ, ତୁଳାରାମ ଗୋପାଳ, କାନ୍ତ ମାଝୀ, ପାର୍ଥବ ମାଝୀ, ନିରଞ୍ଜନ ବାଗ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।





