ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଦେପୁର ଗ୍ରାମ ପଞ୍ଚାୟତ ସିନାଙ୍ଗଭଟା ସ୍ଥିତ ବନ୍ଧ୍ୟାଗିରି ପାହାଡ଼ଠାରେ ନବମତମ ଗିରିଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ କମିଟି ପକ୍ଷରୁ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରବିବାର ଦିନ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ସୋମବାର ଠାରୁ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜା ସୋମବାର ଠାରୁ ଅବିରତ ଚାଲିଥିବାବେଳେ ବୁଧବାର ଦିବା ୧୦.୩୩ ଗତେ ୧୧.୪୦ ମଧ୍ୟେ ପୂର୍ଣ୍ଣାହୁତି ସହ ସମାପନ ହେବ ବୋଲି ପୂଜା କମିଟି ପକ୍ଷରୁ ପ୍ରକାଶ। ଜସ କେତନ ଜାଲ ଓ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ଜାଲ କର୍ତ୍ତା ଥିବାବେଳେ ପୁରୋହିତ ସନ୍ତୋଷ ପାଢି, ପୁସ୍ତକ ଆଚାର୍ଯ୍ୟ ଅନିଲ ପ୍ରସାଦ ରାଉତ ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରିଥିଲେ। ପ୍ରତିଦିନ ୪୦୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଅନ୍ନପ୍ରସାଦ ସେବନ କରିଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ। ଗିରିଗୋବର୍ଦ୍ଧନ ପୂଜା କମିଟି ସଭାପତି ଜସ କେତନ ଜାଲ, ସମ୍ପାଦକ ଭାଗିରଥି ଗଉଡ, କୋଷାଧ୍ୟକ୍ଷ କୁମୁଦ ଜାଲ ପ୍ରମୁଖଙ୍କ ତତ୍ବାବଧାନରେ ପୂଜାକାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଏଥିରେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ।





