ମୃତ୍ୟୁ ବି ଅଲଗା କରିପାରିଲାନି, କାର୍‌ ଧକ୍କାରେ ଝଡ଼ି ପଡ଼ିଲା ସ୍ୱାମୀ-ସ୍ତ୍ରୀଙ୍କ ଅମୂଲ୍ୟ ଜୀବନ

ନନ୍ଦପୁରରେ ଶୋକାକୁଳ ପରିବେଶ, ପିଛା କରି ଫେରାର କାର୍‌ ଓ ଚାଳକଙ୍କୁ ଧରିଲା ପୁଲିସ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ହାତ ଧରି ଏକାଠି ଜୀବନ ଆରମ୍ଭ କରିଥିଲେ। ସୁଖଦୁଃଖର ସାଥୀ ହୋଇ ପରିବାର ଚଳାଉଥିଲେ। ହେଲେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସବୁକିଛି ଛାରଖାର କରିଦେଲା। କାର୍‌ ଧକ୍କାରେ ଅକାଳରେ ଝଡ଼ିପଡ଼ିଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାକୁ ନେଇ ନନ୍ଦପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସେମିଳିଗୁଡ଼ା ପଟୁ ନନ୍ଦପୁର ଅଭିମୁଖେ ଆସୁଥିବା ଏକ ମାରୁତି ସୁଜୁକି କାର୍‌ ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ଚାଲି ଚାଲି ଯାଉଥିବା ଦମ୍ପତିଙ୍କୁ ଧକ୍କା ଦେଇଥିଲା। ସେମାନେ ସମ୍ପର୍କୀୟଙ୍କ ଘର କନ୍ଧଗୁଡ଼ାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।ଦୁର୍ଘଟଣାରେ ଉଭୟ ଗୁରୁତର ହୋଇପଡ଼ିଥିବା ବେଳେ ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଧକ୍କା ଦେବା ପରେ କାର୍‌ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ନନ୍ଦପୁର ପୁଲିସ ଗାଡ଼ିର ପିଛା କରି ଲମତାପୁଟ ଅଞ୍ଚଳର ଗୁନେଇପଡ଼ା ନିକଟରୁ କାର୍‌ ସହ ଚାଳକଙ୍କୁ ଧରି ହେପାଜତକୁ ନେଇଥିବା ଜଣାପଡ଼ିଛି। ମୃତକ ଦୁହେଁ ହେଲେ ପାଡୁଆ ଥାନା ଅନ୍ତର୍ଗତ ଅଟଣ୍ଡା ପଞ୍ଚାୟତର କୁମ୍ବିଗୁଡ଼ା ଗ୍ରାମର ପର୍ଶୁରାମ ହନ୍ତାଳ ଓ ତାଙ୍କ ପତ୍ନୀ ଜମୁନା ପାଙ୍ଗି। ଉଭୟ ପ୍ରେମ ବିବାହ କରିଥିଲେ। କନ୍ଧଗୁଡ଼ା ଆଇଟିଆଇ କଲେଜ ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ରହି କୁଲି ମଜୁରି କରି ଜୀବିକା ନିର୍ବାହ କରୁଥିଲେ। ଏକାଠି ଜୀବନର ପଥ ଚାଲୁଥିବା ଏହି ଦମ୍ପତିଙ୍କ ଏକାସାଙ୍ଗରେ ମୃତ୍ୟୁ ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ଗଭୀର ମର୍ମାହତ କରିଛି। ଏହି ଘଟଣାରେ କୁମ୍ବିଗୁଡ଼ା ଗ୍ରାମ ସମେତ ନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.