ବିଧାନସଭାରେ ଚାରି ବିଧାୟକ ଉଠାଇଲେ ପ୍ରସଙ୍ଗ, ନୂଆ ନିୟମାବଳୀ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀଙ୍କ ସୂଚନାରେ ହଜାର ହଜାର ଶିକ୍ଷକଙ୍କ ମନରେ ଆଶା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମାଧ୍ୟମିକ ଶିକ୍ଷକଙ୍କ ଆନ୍ତଃଜିଲ୍ଲା ପାରସ୍ପରିକ ବଦଳି ବ୍ୟବସ୍ଥାରେ ଥିବା କଟକଣା ହଟିବ କି? ସମଗ୍ର ଚାକିରି ଜୀବନରେ କେବଳ ଥରେ ବଦଳିର ସୁଯୋଗ ଦେଉଥିବା ବର୍ତ୍ତମାନର ନିୟମରେ ପରିବର୍ତ୍ତନ ଆସିବ କି? ଏଭଳି ପ୍ରଶ୍ନ ଏବେ ହଜାର ହଜାର ଶିକ୍ଷକଙ୍କ ମନରେ ଆଶା ଓ ଉତ୍କଣ୍ଠା ସୃଷ୍ଟି କରିଛି। ଓଡ଼ିଶା ବିଧାନସଭାରେ ଚାରିଜଣ ବିଧାୟକ ଏହି ଦୀର୍ଘଦିନର ଦାବି ଉଠାଇଥିବା ବେଳେ ନୂତନ ବଦଳି ନିୟମାବଳୀ ପ୍ରସ୍ତୁତି ଚାଲିଥିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବା ବିଧାୟକମାନେ ହେଲେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ବସ୍ତା ବିଧାୟିକା ସୁବାସିନୀ ଜେନା। ସେମାନେ ମାଧ୍ୟମିକ ଶିକ୍ଷକଙ୍କୁ ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳିର ସୁଯୋଗ ମିଳିବା ନେଇ ସରକାରଙ୍କଠାରୁ ସ୍ପଷ୍ଟ ଉତ୍ତର ଲୋଡ଼ିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ନୂତନ ବଦଳି ନିୟମାବଳୀ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି।
ତେବେ ନୂତନ ନିୟମାବଳୀ କେବେ ଚୂଡ଼ାନ୍ତ ହେବ ଏବଂ ଏଥିରେ ଏକାଧିକ ଥର ବଦଳିର ସୁଯୋଗ ରହିବ କି ନାହିଁ, ତାହା ଏବେ ଶିକ୍ଷକ ମହଲରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।
ଏହି ଦାବିକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷକ ମ୍ୟୁଚୁଆଲ୍ ଟ୍ରାନ୍ସଫର୍ ସଂଘ (ଓଏସ୍ଟିଏମ୍ଟିଏ) ଦୀର୍ଘଦିନ ଧରି ସାଂଗଠନିକ ଓ ଆନ୍ଦୋଳନାତ୍ମକ ଉଦ୍ୟମ ଜାରି ରଖିଛି। ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ବିଧାୟକ ଏବଂ ବିଧାନସଭାର ଷ୍ଟାଣ୍ଡିଂ କମିଟିଙ୍କ ନିକଟରେ ସଂଘ ପକ୍ଷରୁ ଏକାଧିକ ଥର ଦାବିପତ୍ର ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସଂଘର ଯୁକ୍ତି ଅନୁଯାୟୀ, ମ୍ୟୁଚୁଆଲ୍ ଟ୍ରାନ୍ସଫର୍ ହେଉଛି ଦୁଇଜଣ ଯୋଗ୍ୟ ଶିକ୍ଷକଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ପାରସ୍ପରିକ ବଦଳି ବ୍ୟବସ୍ଥା। ଏଥିରେ ନୂତନ ପଦବୀ ସୃଷ୍ଟିର ଆବଶ୍ୟକତା ନାହିଁ କିମ୍ବା ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବାର ପ୍ରଶ୍ନ ଉଠୁନାହିଁ। ବିଷୟଭିତ୍ତିକ ଯୋଗ୍ୟତା, ଅନୁମୋଦିତ ଶିକ୍ଷକ ପଦବୀ, ବିଦ୍ୟାଳୟରେ ଉପଲବ୍ଧ ଶିକ୍ଷକଙ୍କ ସଂଖ୍ୟା ଓ ବିଭାଗୀୟ ଅନୁମୋଦନ ଆଧାରରେ ଏହାକୁ ସୁସଂଗଠିତ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ।
କିନ୍ତୁ ବର୍ତ୍ତମାନର ନିୟମ ଅନୁସାରେ ସମଗ୍ର ଚାକିରି ଜୀବନରେ କେବଳ ଥରେ ଆନ୍ତଃଜିଲ୍ଲା ମ୍ୟୁଚୁଆଲ୍ ଟ୍ରାନ୍ସଫର୍ର ସୁଯୋଗ ମିଳୁଛି। ଫଳରେ ଥରେ ବଦଳି ହୋଇସାରିବା ପରେ ପରବର୍ତ୍ତୀ ସମୟରେ ପାରିବାରିକ, ସାମାଜିକ କିମ୍ବା ବ୍ୟକ୍ତିଗତ ପରିସ୍ଥିତି ବଦଳିଲେ ମଧ୍ୟ ଅନେକ ଶିକ୍ଷକ ନିଜ ଜିଲ୍ଲାକୁ ଫେରିବାର ସୁଯୋଗ ପାଉନାହାନ୍ତି। ଦୀର୍ଘବର୍ଷ ଧରି ନିଜ ଜିଲ୍ଲାଠାରୁ ଦୂରରେ ରହି କାର୍ଯ୍ୟ କରୁଥିବା ଶିକ୍ଷକମାନେ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବୟସ୍କ ମାତାପିତାଙ୍କ ଯତ୍ନ, ପାରିବାରିକ ଦାୟିତ୍ୱ ଏବଂ ଅନ୍ୟାନ୍ୟ ଅପରିହାର୍ଯ୍ୟ ପରିସ୍ଥିତିରେ ନିଜ ଜିଲ୍ଲାକୁ ଫେରିବାର ବିକଳ୍ପ ନ ଥିବାରୁ ସମସ୍ୟା ଜଟିଳ ହେଉଛି।
ଏହି ପରିପ୍ରେକ୍ଷୀରେ ଆଗାମୀ ନୂତନ ନିୟମାବଳୀରେ ଜୀବନକାଳରେ କେବଳ ଥରେ ବଦଳି ହେବାର ସର୍ତ୍ତକୁ ହଟାଇ ଯୋଗ୍ୟତା ଓ ବିଭାଗୀୟ ନିୟମ ଆଧାରରେ ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳିର ସୁଯୋଗ ଦେବାକୁ ସଂଘ ଦାବି କରିଛି।
ବିଧାନସଭାରେ ଚାରିଜଣ ବିଧାୟକଙ୍କ ଦ୍ୱାରା ଏହି ପ୍ରସଙ୍ଗ ଉଠିବା ଏବଂ ନୂତନ ନିୟମାବଳୀ ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀଙ୍କ ସୂଚନା ପରେ ଶିକ୍ଷକମାନଙ୍କ ଆଶା ବଢ଼ିଛି। ତେବେ ନୂତନ ନିୟମରେ ସେମାନଙ୍କ ଦୀର୍ଘଦିନର ଦାବିକୁ କେତେଦୂର ସ୍ଥାନ ମିଳୁଛି ଏବଂ ସରକାର କେବେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।





