ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ବ୍ଲକ ଅଞ୍ଚଳରେ ଆଜି ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍ର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ବକ୍ସାଇଟ୍ ପାଉଡର ବୋଝେଇ ଟ୍ରକ୍ଟି ତାଲିଗୋଡ଼ା ପୋଲ ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଘଟଣା ସମୟରେ ଆଖପାଖ ଅଞ୍ଚଳର ଲୋକମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖବର ପାଇ ମଦନପୁର ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ କୌଣସି ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି। ତେବେ ଟ୍ରକ୍ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ତାହା ପୋଲିସ ତଦନ୍ତ ପରେ ଜଣାପଡିବ।





