ତୀବ୍ର ଅଭିମାନରେ ଚାଲିଗଲେ ସୁନନ୍ଦା, ପାଉଁଶ ବି ପାଇଲାନି ଓଡ଼ିଶା

✒ଅସିତ ମହାନ୍ତି

ସୁନନ୍ଦା ପଟ୍ଟନାୟକ ଚାଲିଗଲେ। ତୀବ୍ର ଅଭିମାନରେ। କ୍ଷୋଭରେ। କୋଲକାତାର ନିମତଲା ଘାଟରେ ତୁରନ୍ତ ତାଙ୍କର ଶବଦାହ କରିଦିଆଗଲା। ମୁଠାଏ ପାଉଁଶ ବି ପାଇଲାନି ଓଡ଼ିଶା।

Omkar Vasthu
Omkar Vasthu

ଏହା ମୁଁ ଲେଖୁଚି ଗଭୀର ବେଦନାରେ। କାରଣ ସେ ଥିଲେ ଓଡ଼ିଶା ବାହାରେ ଓଡ଼ିଶାର ସ୍ବର। କିନ୍ତୁ ନିଜର ସେଇ କନ୍ୟାଟିକୁ ଶେଷଯାଏ କ’ଣ ଦେଲା ଓଡ଼ିଶା !

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମୁଁ ସୁନନ୍ଦା ପଟ୍ଟନାୟକଙ୍କୁ ଜାଣେ ପ୍ରାୟ ୩୦ ବର୍ଷ ତଳୁ। ‘ସମାବେଶ’ ଛାଡ଼ି ‘ପ୍ରଜାତନ୍ତ୍ର’ରେ ଯାଇ ଯୋଗଦେବା ପରେ, ମୂଳ ଦାୟିତ୍ଵ ପ୍ରେସ୍ ପରିଚାଳନା ସହିତ କ୍ରମେ ‘ସାହିତ୍ୟ’ ପୃଷ୍ଠା ଓ ‘ସାପ୍ତାହିକୀ’ ଦାୟିତ୍ବ ବି ଆସି ମୋ ଉପରେ ପଡ଼ିଥିଲା। ସେତିକିବେଳେ ଦିନେ ଖବର ପାଇଥିଲି ଯେ ସୁନନ୍ଦା ପଟ୍ଟନାୟକ ଓଡ଼ିଶା ଆସିଛନ୍ତି ଓ ରହୁଛନ୍ତି ପୁରୀରେ। ପ୍ରେସ୍ ର ଗ୍ରାଫିକ୍ କ୍ୟାମେରା ଅପରେଟର ଶରତ ସାହୁଙ୍କୁ ନେଇ ତୁରନ୍ତ ଯାଇ ପହଞ୍ଚିଥିଲି ତାଙ୍କ ପାଖେ ଓ ଲମ୍ବା କଥାବାର୍ତ୍ତା କରିଥିଲି। ଶରତଙ୍କୁ ସାଙ୍ଗରେ ନେବାର ଉଦ୍ଦେଶ୍ୟ ଥିଲା, ତାଙ୍କର ଗୋଟିଏ ଭଲ କ୍ୟାମେରା ଥିଲା ଓ ସେ ଭଲ ଫଟୋ ବି ଉଠାଇଥିଲେ। ଏ ଲେଖା ସହ ଦେଇଥିବା ଫଟୋ ଶରତଙ୍କର ଓ ସେଇ ପ୍ରାୟ ୩୦ ବର୍ଷ ତଳର।

ସେତେବେଳେ ସେହି ସାକ୍ଷାତକାର ‘ପ୍ରଜାତନ୍ତ୍ର’ର ‘ସାହିତ୍ୟ’ ପୃଷ୍ଠାରେ ପ୍ରକାଶ ପାଇଥିଲା। ପରେ ତାହାର ଆଧାରରେ ଗୋଟିଏ ଲମ୍ବା ଲେଖା ବି ମୁଁ ଲେଖିଥିଲି। କବି ଅମରେଶ ପଟ୍ଟନାୟକ ‘ନବଲିପି’ ପତ୍ରିକାର ଦାୟିତ୍ବରେ ଥିବାବେଳେ ସେଇଟିକୁ ସେଠି ଛାପିଥିଲେ। ପରେ ସଂଗ୍ରାମ ଜେନା ‘ନିଶାନ୍ତ’ର ଏକ ସ୍ବତନ୍ତ୍ର ସଂଖ୍ୟାରେ ତାହାକୁ ସ୍ଥାନିତ କରିବା ସହିତ ତାଙ୍କ ‘ସ୍ମୃତିସତ୍ତ୍ବା’ ପୁସ୍ତକରେ ସଂକଳିତ ବି କରିଥିଲେ।

ସେତେବେଳେ ଅନେକ ସ୍ବପ୍ନ ଥିଲା ସୁନନ୍ଦା ପଟ୍ଟନାୟକଙ୍କ ମନରେ। ବିଶେଷକରି ଓଡ଼ିଶା ଓ ପୁରୀକୁ ନେଇ ଥିଲା ସେ ସବୁ ସ୍ବପ୍ନ। ପୁରୀରେ ସେ ଗୋଟିଏ ସଂଗୀତ ବିଦ୍ୟାଳୟ ସଦ୍ୟ ଖୋଲିଥିଲେ। ଇଚ୍ଛା ଥିଲା, ନୂଆ ପିଢି ଭିତରେ ତାଙ୍କ ଶୁଦ୍ଧ ସଂଗୀତର ବୀଜ ବୁଣିଯିବା ପାଇଁ। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପୁରୀ ବଳିଆପଣ୍ଡାସ୍ଥିତ ତାଙ୍କ ଅନୁଷ୍ଠାନର କବାଟ ଝରକା ବି କ୍ରମେ ଦୁର୍ବୃତ୍ତମାନେ ତାଡ଼ି ନେଲେ। ଶେଷରେ ବିଦ୍ୟାଳୟଟିକୁ ଚଳାଇ ରଖିବାକୁ ତାଙ୍କର ଶକ୍ତି କି ଆଗ୍ରହ ବି ରହିଲା ନାହିଁ।

ସେତେବେଳେ ଆଉ ଗୋଟିଏ କଥା ବି ସେ ଅତି ଅନ୍ତରଙ୍ଗ ଭାବରେ ଚାହୁଁଥିଲେ। ତାଙ୍କର ଇଚ୍ଛା ଥିଲା- ତାଙ୍କର କଣ୍ଠସ୍ୱର ଯେହେତୁ ଭାଙ୍ଗି ଭାଙ୍ଗି ଆସୁଛି, ତା’ର ଆଗରୁ ତାଙ୍କର ଗୀତସବୁକୁ ପରପିଢି ପାଇଁ ରେକର୍ଡ଼ କରି ସାଇତିଯିବାକୁ। ସେଥିପାଇଁ ବହୁବାର ଓଡ଼ିଶା ଆସି ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗର ପଦାଧିକାରୀଙ୍କୁ ବି ଭେଟିଥିଲେ। କିନ୍ତୁ ଅସାଂସ୍କୃତିକ ଅଧିକାରୀଙ୍କ ଅନାଗ୍ରହ ଯୋଗୁଁ ତାହା ବି ଶେଷସୁଦ୍ଧା ସମ୍ଭବ ହୋଇପାରି ନଥିଲା।

ସେତେବେଳେ ମୁଁ ତାଙ୍କୁ ପଚାରିଥିଲି- ଓଡ଼ିଶା ଆପଣଙ୍କୁ କିଛି ଦେଇନି। ବଙ୍ଗଳା ଆପଣଙ୍କୁ ମୁଣ୍ଡରେ ବସେଇଛି। ତଥାପି ଓଡ଼ିଶା ପାଇଁ ଆପଣଙ୍କ ମନର ଭାବନା କ’ଣ ? ସେ ଉତ୍ତର ଦେଇଥିଲେ- “ଆଉଥରେ ବି ଜଣେ ମୋତେ ଏ ପ୍ରଶ୍ନ କରିଥିଲେ” ।ତା’ ପରେ କହିଥିଲେ, “ମୁଁ ତାଙ୍କୁ ଉତ୍ତର ଦେଲି, ବଙ୍ଗଳା କାହିଁକି ମତେ ମୁଣ୍ଡରେ ବସେଇଛି ଆପଣ ଜାଣନ୍ତି ? ଏଇଥିପାଇଁ ଯେ ସେମାନେ ଆଉ ଗୋଟାଏ ସୁନନ୍ଦା ପଟ୍ଟନାୟକକୁ ପାଇନାହାନ୍ତି। ଯେଉଁଦିନ ଆଉ ଗୋଟାଏ ସୁନନ୍ଦା ପଟ୍ଟନାୟକକୁ ସେମାନେ ପାଇଯିବେ, ସେଦିନ ସେମାନେ ହୁଏତ ମତେ ଗୋଇଠା ମାରି ତଡ଼ିଦେବେ। କିନ୍ତୁ ମୁଁ ଏତିକି ଅନ୍ତତଃ ଜାଣେ ଯେ ଓଡ଼ିଶା ମତେ କିଛି ଦେଉ କି ନଦେଉ- ମୁଁ ଯେତେବେଳେ ଯୋଉ ଅବସ୍ଥାରେ ଥିଲେ ବି ଓଡ଼ିଶା ମତେ କୋଳେଇ ନେବ। ସେଇଥିପାଇଁ ଓଡ଼ିଶା ହିଁ ମୋର ଅଧିକ ଆପଣାର। ସେଇଥିପାଇଁ ତ ଏବେ ଓଡ଼ିଶାରେ ମୁଁ ମୋର ସଂଗୀତ ବିଦ୍ୟାଳୟ ପ୍ରତିଷ୍ଠା କରିଛି !”

ଏହା ଥିଲା ସେଦିନ ସୁନନ୍ଦା ପଟ୍ଟନାୟକଙ୍କର ଓଡ଼ିଶା ଭାବନା।

କିନ୍ତୁ ଏହା ସତ୍ତ୍ୱେ, ‘ଶ୍ରୀଜଗନ୍ନାଥାଷ୍ଟକମ୍’ ଏତେ ଭାବପୂର୍ଣ୍ଣ କଣ୍ଠରେ ଗାଇବା ସତ୍ତ୍ୱେ, ସେ ‘ନୀଳମାଧବ’ ପରି ନୂଆ ରାଗ ସୃଷ୍ଟି କରିବା ସତ୍ତ୍ବେ, ଓଡ଼ିଶା ତାଙ୍କୁ ଦେଲା କ’ଣ ?

ସେଇଥିପାଇଁ ବୋଧେ, ତୀବ୍ର ଅଭିମାନରେ ସେ ଚାଲିଗଲେ ଚୁପ୍ ଚାପ୍। ତାଙ୍କର ଶବଦାହ ହେଲା ସେଇ କୋଲକାତାର ନିମତଲା ଘାଟ ଶ୍ମଶାନରେ। ଓଡ଼ିଶା ତାଙ୍କର ମୁଠାଏ ପାଉଁଶ ବି ପାଇଲା ନାହିଁ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.