ପଙ୍ଗପାଳ ଗୁଜବ, କୃଷି ବିଭାଗର ଅନୁସନ୍ଧାନ

● ମିଥ୍ୟା ଗୁଜବକୁ ନେଇ ଭୟଭୀତ ହୁଅନ୍ତୁନି –କୃଷି ବିଭାଗ

କଳାହାଣ୍ଡି,୬/୫: ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ବାତ୍ୟା ଅମ୍ଫନ୍ ଆସି ଓଡ଼ିଶାର ପ୍ରଭୂତ କ୍ଷୟକ୍ଷତି ଘଟାଇଛି । ଇତି ମଧ୍ୟରେ ଆଉଏକ ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଚିନ୍ତା ବଢ଼େଇଦେଇଛି । ଚାଷ ଆରମ୍ଭ ହେବା ବେଳକୁ ପଙ୍ଗପାଳ ଦଳ ପାକିସ୍ତାନରୁ ଆସି ଆମଦେଶର ବିଭିନ୍ନ ରାଜ୍ୟର ଫସଲ ନଷ୍ଟ କରିବା ପରେ ଛତିଶଗଡ଼ ଯାଏଁ ପହଂଚି ତାଣ୍ଡବ ରଚିଲେ । ଦିିନକୁ ୧୦୦ କିଲୋମିଟର ବେଗରେ ଆସୁଥିବା ପ୍ରାୟ ୪କୋଟି ପଙ୍ଗପାଳକୁ ନେଇ ଓଡ଼ିଶା ବିଶେଷକରି ଛତିଶଗଡ଼ ସୀମାକୁ ଲାଗି ଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଥିଲେ । ମେ’ ମାସ ମଧ୍ୟ ଭାଗରୁ ଏହି ଖବରକୁ ନେଇ କଳାହାଣ୍ଡି କୃଷି ବିଭାଗ ତରଫରୁ ପଙ୍ଗପାଳର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ନେଇ ଜିଲ୍ଲାର ଗାଁ ଗାଁ ରେ କୃଷକମାନଙ୍କ ବୈଠକ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ପଙ୍ଗପାଳ ଆକ୍ରମଣରୁ ଚାଷକୁ ବଞ୍ଚାଇବାର ଉପାୟମାନ ଜଣାଇ ଚାଷୀଙ୍କୁ ସଚେତନତା କରାଯାଇଥିଲା ।

ଠିକ୍ ଏହି ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ବାଲସିଂହା ଗ୍ରାମ ପଞ୍ଚାୟତର ସୁନ୍ଦରମତୀ କାନନରେ ପଙ୍ଗପାଳ ଦେଖାଯିବାର ଗୁଜବ ବ୍ୟାପିଥିଲା । ଏପରିକି ଏକ ଖବରକାଗଜରେ ସୁନ୍ଦରମତୀ କାନନରେ ଅସଂଖ୍ୟ ଝିଣ୍ଟିକା ଦଳ କାନନକୁ ଧ୍ୱଂସ କରୁଥିବାର ଖବର ପ୍ରସାରିତ ହେବାପରେ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।

ଖବର ପାଇ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ନର୍ଲା ସହକାରୀ କୃଷି ଅଧିକାରୀ ସୁଶ୍ରୀ ଶିବାନୀ ପ୍ରଧାନ, ବାଲସିଂହା ଗ୍ରାମ୍ୟ କୃଷି କର୍ମଚାରୀ ସୁଶ୍ରୀ ଗଜମତୀ ମାଝୀ, ନର୍ଲା ଫରେଷ୍ଟର୍ ଭବାନୀ ନାଏକ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସୁନ୍ଦରମତୀ କାନନରେ ପଙ୍ଗପାଳ ସଂଧାନ ପାଇଁ ୪ ଘଣ୍ଟା ଧରି ମିଳିତ ଅନୁସନ୍ଧାନ କରିଥିଲେ । ହେଲେ ସେଠାରେ ପଙ୍ଗପାଳ କିମ୍ବା ଝିଣ୍ଟିକାର କୌଣସି ପତ୍ତା ମିଳିନଥିବା କିମ୍ବା ସୁନ୍ଦରମତୀ କାନନର କୌଣସି କ୍ଷୟକ୍ଷତି ହୋଇନଥିବା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଏଥିସହ ଛତିଶଗଡ଼ରୁ ଓଡ଼ିଶାମୁହାଁ ହୋଇଥିବା ଫସଲ ବିଧ୍ୱଂସକାରୀ ପଙ୍ଗପାଳ ଦଳ ଆଉ ଓଡ଼ିଶା ପଟେ ନଆସି ସେଇଠୁ ବିପରୀତ ମୁହାଁ ହୋଇ ଫେରିଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏପ୍ରକାର ମିଥ୍ୟା ଗୁଜବକୁ ନେଇ ଚାଷୀମାନେ ଭୟଭୀତ ନହେବାପାଇଁ ମଧ୍ୟ ଜିଲ୍ଲ କୃଷି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.