ବଲାଙ୍ଗିର,୬/୬: ଚାଲିଛି କରୋନା ଯୁଦ୍ଧ । ଦେଶ ପର୍ଯ୍ୟାୟକ୍ରମେ ଲକଡାଉନରେ ରହିବାପରେ ଏବେ ଆରମ୍ଭ ହୋଇଛି ଅନ୍ ଲକ୍ ୧.୦ । ଦେଶର ଅନ୍ୟାନ୍ୟ ରାଜ୍ୟପରି ଓଡିଶା ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାରେ ସଟ୍ ଡାଉନ୍ ଲାଗୁ ହୋଇଛି । ଜିଲ୍ଲାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲାର ସହରାଞ୍ଚଳ ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି । ସାମ୍ବାଦିକ , ମେଡ଼ିସିନ୍ ଦୋକାନର କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ଡାକ୍ତର, ନର୍ସ, ବିଜୁଳି ବିଭାଗ କର୍ମଚାରୀ, ପାନୀୟ ଜଳ ବିଭାଗ କର୍ମଚାରୀ ଆଦିଙ୍କୁ ଛାଡି ଦେଲେ ଅନ୍ୟ ଲୋକମାନେ ସ୍ୱତ ପ୍ରବୃତ ଭାବେ ସଟଡାଉନ ନିୟମକୁ ମାନି ଘରୁ ବାହାରକୁ ବାହାରୁ ନାହାନ୍ତି । ଜିଲ୍ଲାର ବଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜି ଆଦି ସହରର ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ ଦେଖିବାକୁ ମିଳୁଛି । ପ୍ରତିଟି ମୁଖ୍ୟ ଛକରେ ପୋଲିସ ଜଗି ବସିଛନ୍ତି । ସେହିପରି ଜରୁରୀକାଳୀନ ଯାନବାହନକୁ ଛାଡିଦେଲେ ଅନ୍ୟ ଯାନ ବାହାନ ଚଳାଚଳ ବନ୍ଦ ରହିଛି । କେତେକ ସ୍ଥାନରେ ଅମାନିଆ ଲୋକଙ୍କୁ ସାବାଡ କରିଛି ପୋଲିସ ।