କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୪ ଦିନ ବ୍ୟାପୀ ହେବାକୁ ଥିବା ୨୩ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠ ୧୦ ଗୋଟି ସ୍ଥାନରୁ ମଶାଲ ଅଣାଯାଇ ଅପରାହ୍ନରେ ମାଣିକେଶ୍ୱରୀ ମନ୍ଦିର ନିକଟକୁ ଅଣାଯାଇ ସେଠାରେ ପୂଜାଅର୍ଚ୍ଚନା କରାଯିବା ପରେ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ସ୍ଥିତ ରେଣ୍ଡୋମାଝୀ ମଂଚରେ ପହଂଚିଥିଲା ।
ସନ୍ଧ୍ୟା ସାଢ଼େ ଛଅଟାରେ ୨୩ତମ କଳାହାଣ୍ଡି ଉତ୍ସବକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭ ଉଦ୍ଘାଟନ କରିଥିଲେ ଏବଂ ଷ୍ଟାଡିୟମଠାରେ ଆୟୋଜନ କରାଯାଇଥିବା ୩୯୬ ଗୋଟି ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ । ଏହାପରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ କଳାହାଣ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡାଙ୍କ ସମେତ ଓଡ଼ିଶା ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ, ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ବିଧାୟକ ଅନାମ ନାଏକ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପିଡି ଡିଆରଡିଏ କଳାହାଣ୍ଡି ପ୍ରସନ୍ନ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପରିଚାଳନା କରିଥିଲେ । ଏହାପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବିବେଚିତ ଘୁମୁରା ଦଳ, ଓଡ଼ିଶୀ, କୁଚିପୁଡ଼ି, ତେଲେଙ୍ଗାନାର ମଲ୍ଲିକାର୍ଜୁନ, ଢୋଲ, କଳାବୃନ୍ଦମ୍, ସୁନ୍ଦରଗଡ଼, କନ୍ଧମାଳ, ଢେଙ୍କାନାଳ, କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦରୁ ପ୍ରେରିତ ନୃତ୍ୟଦଳଙ୍କ ସମେତ କଳାହାଣ୍ଡିର ଆଦିବାସୀ ନୃତ୍ୟ, ଥୁଆମୂଳ ରାମପୁର ଢାପ୍, କୁରେଫୁଲ ଓ ଜିଲ୍ଲାର ବିଭିନ୍ନ ଅଂଚଳର ସମୁଦାୟ ୧୭ ଗୋଟି ଲୋକନୃତ୍ୟ ପରିବେଶଣ କରାଯାଇଥିଲା ଏବଂ ମଧ୍ୟରାତ୍ର ପର୍ଯ୍ୟନ୍ତ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ରେଣ୍ଡୋ ମାଝୀ ମଂଚରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବୋଧ କୁମାର, ସୁଶାନ୍ତ କୁମାର ପାଢୀ, ଶୈଳେନ୍ଦୁ ଶେଖର ମହାପାତ୍ର ଓ ସଶ୍ମିତା ସିଂ ସଂଯୋଜନା କରିଥିବା ବେଳେ ପାରବା ମଞ୍ଚର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିରଂଚିନାରାୟଣ ମୁଣ୍ଡ ସଂଯୋଜନା କରିଥିଲେ ।