ବିଶ୍ୱ ସେଦିନ ହୋଇଥିଲା ସ୍ତବ୍ଧ
ଯେଉଁଦିନ ସେ ଅଜ୍ଞାନଟା ତୁମକୁ କରିଥିଲା କ୍ରୁଶବିଦ୍ଧ
କର୍ଣ୍ଣ ହୋଇଥିଲା ପବିତ୍ର ଶୁଣି ତୁମ ଅମୁଲ୍ୟ ବାଣୀ
କ୍ଷମା ଦିଅ ପ୍ରଭୁ
ସେମାନେ କଣ କରୁଛନ୍ତି ପାରୁନାହାନ୍ତି ଜାଣି
ଦେଖି ଏ ମହାନତା ସମୟ ହୋଇଥିଲା ଦଗ୍ଧ
ତୁମ ମୁମୂର୍ଷୁ ବେଳାର ହସ ଦେଖି ସଭିଏଁ ଭୁଲିଯାଇଥିଲେ କ୍ରୋଧ
ମାନବ ଜାତି ନୁଆଁଇ ଦେଲା ମୁଣ୍ଡ
ସଭିଙ୍କ ହୃଦୟେ ପାଇଲ ପୂଜା
ହୋଇଗଲ ଭଗବାନ
ତୁମ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପରା ହୋଇଗଲା ବିମୁଗ୍ଧ।
ନ ଥିଲା ତୁମ ହୃଦୟେ ତିଳେମାତ୍ର ହିଂସା
ସ୍ନେହ ପ୍ରେମ କାଠି କୁଟାରେ ଗଢିଥିଲ ତୁମ ବାୟା ବସା
ତୁମ ମନ ଫରୁଆରେ ଲୁଚିଥିଲା ପୁଳା ପୁଳା ମାନବିକତା
ସେବାର ମଳୟ ଛୁଆଁରେ ପରକୁ କଲ ଆପଣାର
ଶତ୍ରୁ ଶିଖିଦେଲା ମିତ୍ରତା
ପ୍ରେମ ବନ୍ଧନରେ ଛନ୍ଦିଲ ବିଶ୍ୱ
ଭାଇ ବନ୍ଧୁ କୁଟୁମ୍ଭ ଡାକରେ ଲୁଚିଗଲେ ନିଃସ୍ୱ
ତୁମ ଆତ୍ମୀୟତା ଆତ୍ମଜ୍ଞାନ ପ୍ରତିକ୍ଷଣେ ସାଜୁଥିଲା ଭରସା
କେମିତି ଆମକୁ ଛାଡ଼ିଗଲ ହେ ଭଗବାନ
ବୁଡାଇଦେଲ ଆମ ସଭିଙ୍କ ହଂସା।
ଆଜିର ମାନବ ଧରେ ଯେବେ ତୁମ ନାମ
ଅନ୍ୱେଷଣ କରେ କେମିତି କିପରି କେଉଁଠି ତୁମ ପବିତ୍ର ଜନ୍ମ
ଧନ୍ୟ ସେ ପିତା ଯୋଶେଫ ମାତା ମେରି
ଯେ ଜଗତ ପାଇଁ କରିଥିଲେ ଏ ଧର୍ମ
ଜୀହୁଦା ପ୍ରଦେଶରେ ଉଇଁଥିଲା ଏକ ଜହ୍ନ
ବେଥେଲିୟମ ଦେଖିଥିଲା ସୁନେଲି ସ୍ବପ୍ନ
ଧନ୍ୟ ସେ ମେଣ୍ଢାଶାଳ
ଯେ ସାଜିଥିଲା ଯଶୋମତୀଙ୍କ କୋଳ
ଆଜିର ବାଇବେଲ ଅଣ୍ଡାଳି ଅଣ୍ଡାଳି ଖୋଜୁଛି ତୁମ ପୁଣ୍ୟ କାମ
ସଭିଏଁ ଶାନ୍ତି ପାଇଁ ସ୍ମରୁଛନ୍ତି ତୁମକୁ
କହୁଛନ୍ତି… ଅବତରୀ ଆସ ହେ ଯୀଶୁ
ତୁମକୁ ମୋ କୋଟି କୋଟି ପ୍ରଣାମ।