ରାସ୍ତା ଦବିବା ପରେ ଏବେ ଭୁଷୁଡୁଛି ଡ୍ରେନ୍: ତଥାପି ବେଫିକର ପୂର୍ତ୍ତ ବିଭାଗ

ରିଷିଡା-କର୍ଲାମୁଣ୍ଡା ପି.ଡବଲ୍ୟୁ.ଡି ରାସ୍ତାର ଗାଥା

କର୍ଲାମୁଣ୍ଡା, (ଆଶୁତୋଷ ଦାସ): କଳାହାଣ୍ଡି ଜିଲ୍ଲା ମ.ରାମପୁର-ରିଷିଡା-କର୍ଲାମୁଣ୍ଡା ପି.ଡବଲ୍ୟୁ.ଡି ରାସ୍ତାର ଗଜବାହାଲ ଛକ ଠାରୁ କର୍ଲାମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଭିତରେ ଅନେକ ଖାଲଖମା ଭର୍ତି ହୋଇଥିବା ବେଳେ ରିଷିଡା ଠାରେ ରାସ୍ତା ଦବିବା ସହ ରାସ୍ତାପାଶ୍ୱର୍ର ଡ୍ରେନ ଭାଙ୍ଗିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଏଇ ରିଷିଡା କହ୍ନାରପଡା ବୁଲାଣି ପାଖରେ ରାସ୍ତାର ଗୋଟିଏ ପାଶ୍ୱର୍ ଦବୁଥିବାରୁ ଦୁର୍ଘଟଣାର ଆଶଙ୍କା ଥିବା ନେଇ ଗତ ଦୁଇ ମାସ ତଳେ ଓଡିଆ ବାର୍ତ୍ତା ସମେତ ବିଭିନ୍ନ ଗଣ ମାଧ୍ୟମରେ ରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ଏହାର ପ୍ରଭାବ ଡ୍ରେନ ଉପରେ ପଡିବ ବୋଲି ଆଶଙ୍କା କରାଯାଇଥିଲା । ଏହା ବର୍ତମାନ ସତ ପ୍ରମାଣିତ ହୋଇଛି ।


ଏବେ ରାସ୍ତା ପାଶ୍ୱର୍ର କିଛି ଅଂଶ ଭୁଷୁଡି ପଡିବାରୁ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇପଡିଛନ୍ତି । ଏଇ ରାସ୍ତା ବ୍ୟସ୍ତବହୁଳ ହୋିଥିବା ବେଳେ ଲୋଡ ଟ୍ରକ ସମେତ ବହୁ ଯାନବାହାନ ଯାତାୟତ କରିଥାଏ । ବର୍ତମାନ ଧାନମଣ୍ଡ ଚାଲୁଥିବାରୁ ପ୍ରତ୍ୟେକ ଦିନ ବହୁ ଧାନବୋଝେଇ ଟ୍ରକ ମଧ୍ୟ ଯାତାୟତ କରୁଛି । ରାସ୍ତାର ଗୋଯଏ ପାଶ୍ୱର୍ ଦବୁଥିବାରୁ ଦୁର୍ଘଟଣାର ଆଶଙ୍କା ରହିଛି । ତଥାପି ପୂର୍ତ ବିଭାଗ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଭାଗ୍ୟଜନକ ବୋଲି ଆଲୋଚନା ହେଉଛି ।

ପ୍ରକାଶଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଠାରେ ଆୟୋଜିତ ସଭାରେ ମ.ରାମପୁର-ରିଷିଡା-କର୍ଲାମୁଣ୍ଡା ପି.ଡବଲ୍ୟୁ.ଡି ରାସ୍ତାର ପୁନଃରୁଦ୍ଧାର ପାଇଁ ଶିଳାନ୍ୟାସ କରିଥିଲେ । କିନ୍ତୁ ଏହାର ପାଖାପାଖି ଦୁଇବର୍ଷ ହେବାକୁ ଯାଉଛି ହେଲେ କାମ ଆରମ୍ଭ ହୋଇନାହିଁ । ଏଥିପାଇଁ ଅର୍ଥ ନ ଥିବା କୁହାଯାଉଛି । ତେବେ ଅର୍ଥ ମଂଜୁର ନ ହୋଇ କିପରି ମୁଖ୍ୟମନ୍ତ୍ରୀଙ୍କ ହାତରେ ଶିଳାନ୍ୟାସ କରାଗଲା ବୋଲି ପ୍ରଶ୍ନ ଉଠୁଛି । ଅପରପକ୍ଷରେ ମ.ରାମପୁର ଠାରୁ ରିଷିଡା ପୂର୍ତରାସ୍ତାର ଗଜବାହାଲ ଛକ ପର୍ଯ୍ୟନ୍ତ କାମ ଶେଷ ହୋଇଛି । ହେଲେ ଗଜବାହାଲ ଛକ ଠାରୁ ରିଷିଡା ଦେଇ କର୍ଲାମୁଣ୍ଡା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ମଝି ମଝିରେ ଠିକାଦାର ପୋଷାନୀତିରେ ପେଚିଙ୍ଗ କାମ କରାଯାଉଥିବା ଜନତା ମତବ୍ୟକ୍ତ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଦୃଷ୍ଟିଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.