ଉପସ୍ଥାପନା: ଅରୁଣ କୁମାର ପ୍ରଧାନୀ
କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁର୍ମେଲ ଗ୍ରାମପଂଚାୟତର ସମରକଟା ଏକ ଗ୍ରାମ । ନର୍ଲା ମୁଖ୍ୟ ରାସ୍ତାରୁ ପୂର୍ବକୁ ବାଗପୁର କ୍ଷୁଦ୍ର ଜଳସେଚନ ଯୋଜନା ଦେଇ ଯାଇଥିବା ୫ କି.ମି. ଦୂରରେ ଜଙ୍ଗଲ ପରିବେଷ୍ଟନୀ ମଧ୍ୟରେ ଗ୍ରାମଟି ଅବସ୍ଥିତ ।
ଗ୍ରାମର ଉତ୍ତର ଦିଗରେ ସେକେଡକା ଡଙ୍ଗର ଓ ମୁଡ଼ିଙ୍ଗପଦର ଶୋଭାବର୍ଦ୍ଧନ କରୁଥିବା ବେଳେ ଦକ୍ଷିଣରେ ପୂର୍ବରୁ ପଶ୍ଚିମକୁ ବହି ଯାଉଛି ଗାଡ଼ିଆଯୋର ନାଳା କୁଳୁକୁଳୁ ନାଦରେ । ତା’ରି ଉପରି ମୁଣ୍ଡରେ ଅଡ଼ାବାଲି ପାହାଡ଼ର ପାଦଦେଶରେ ଅବସ୍ଥିତ ଶୈବପୀଠ ଗିରିଗୌରୀ, ଯାହାର ଚତୁଃପାଶ୍ୱର୍କୁ ୩୦ ରୁ ୪୫ ଏକର ପରିସୀମା ମଧ୍ୟରେ ସୁରକ୍ଷା ପ୍ରହରୀ ଭଳି ଦଣ୍ଡାୟମାନ ରେଙ୍ଗାଲ, ଖଏଁସ, ଗମ୍ଭାରୀ, କର୍ଲା, କେନ୍ଦୁ, ବିଜା, ସାହାଜ, ପାଚୋ, ଶିଶୋ, ଧଅଁରା, ଡଙ୍ଗରକୁର୍ଲୁ, କୁସୁମ, ନିମ୍ବ, ଅଶୋକ, ବେଲ, ଅଁଳା, ବାଉଁଶ ପ୍ରଭୃତି ବୃକ୍ଷରାଜି ଏବଂ ବଂଶୁଲା, କଂଟେଇକୋଳି ସାଙ୍ଗକୁ ଅନେକ ଲତାଗୁଳ୍ମ ଏହାରି ପାଦଦେଶରେ ସାଥି ହୋଇ ରହିଛନ୍ତି ।
ଗେଣ୍ଡୁ, ବାରମାସି ଫୁଲର ବଗିଚା, ଅନେକ ବନଜାତ ଫୁଲର ବାସ୍ନା ଭକ୍ତ, ଦର୍ଶକ ମନରେ ଭରିଦିଏ ଅଫୁରନ୍ତ ଆନନ୍ଦ । ନାନା ଜାତି ପକ୍ଷୀଙ୍କ କିଚିରମିଚିରି ଓ ମାଙ୍କଡ଼ମାନଙ୍କ ଖେଁ ଖାଁ ଶବ୍ଦର ମନୋରମ ପ୍ରାକୃତିକ ପରିବେଶରେ ହାତୀ ଭଳି ବନ୍ୟଜନ୍ତୁ ସମୟ ସମୟରେ ଏହି ପୀଠ ନିକଟରେ ଆଶ୍ରୟ ନେବାର ଦେଖାଯାଏ । ବଣଭୋଜି ସହ ବିଭିନ୍ନ ସମୟରେ ପାଳିତ ହେଉଥିବା ଗ୍ରାମୀଣ ପର୍ବପର୍ବାଣୀର ଜନଗହଳି ଆଧ୍ୟାତ୍ମିକ ପରିବେଶକୁ ଆହୁରି ମନମୁଗ୍ଧକର କରିଥାଏ ।
ଦୀର୍ଘ ବାର ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଲୋକଲୋଚନକୁ ସଠିକ୍ ଭାବେ ଆସି ପାରି ନଥିବା ଶୈବପୀଠକୁ ଦର୍ଶକ, ପର୍ଯ୍ୟଟକ ଥରେ ଗଲେ ବାରମ୍ବାର ଯିବାର ନିଶା ଘାରିଥାଏ, ଭ୍ରମିତ ହୁଅନ୍ତି ଦର୍ଶକ ସତେ ଯେମିତି ଗିରିଗୌରୀ ମାନସପଟରେ ମାୟା କରି ଦେଇଛନ୍ତି । ଏହି ପୀଠରେ ଗିରିଗୌରୀଙ୍କ ସହ ତାଙ୍କ ବାମରେ ବୃଷଭ, ଚଣ୍ଡୀ, ଡାହାଣରେ ଓମ୍, ସମ୍ମୁଖରେ ବୃନ୍ଦାବତୀ, ଖସୁଆ ବାବା ଓ ବଜରଙ୍ଗବଳୀ ପୁଜା ପାଉଛନ୍ତି । ଏଥିସହ ଅସ୍ଥାୟୀ ରୋଷେଇଶାଳ, ପୂଜକ ଆଶ୍ରୟସ୍ଥଳୀ ଓ ପ୍ରହରୀମଣ୍ଡପ ଅବସ୍ଥିତ । ଏହି ଶିବଲିଙ୍ଗ ସ୍ଥାପିତ କରାଯାଇଥିଲେ ମଧ୍ୟ ଉତ୍ପତ୍ତି ହେଲାପରି ମନେହୁଏ ।
ପୂଜକ ପୁରନ୍ଦର ବାହୁକ, ପିତା-୰ଦୟାନିଧି ବାହୁକ, ଜାତି-କ୍ଷତ୍ରିୟ ଗିରିଗୌରୀଙ୍କ ରହସ୍ୟ ଉପରେ ବର୍ଣ୍ଣନା କରିବାକୁ ଯାଇ କହନ୍ତି, ୨୦୦୬ ମସିହା ମାର୍ଗଶୀର ମାସ ଏକ ରବିବାର ରାତିରେ ସ୍ୱପ୍ନାଦେଶ ଅନୁସାରେ ରାତି ପାହିବା ପରେ ସୋମବାର ଦିନ ସଠିକ୍ ସ୍ଥାନରେ ପହଂଚି ପୂଜକ ବାହୁକ ଗିରିଗୌରୀଙ୍କୁ ସ୍ମରଣ କରି ଏକ ଶିଳାଖଣ୍ଡ ଉପରେ ପୂଜାର୍ଚ୍ଚନା କଲେ ଏବଂ ସ୍ଥାନ ସ୍ଥିରିକୃତ କଲେ ।
ପରବର୍ତ୍ତି ସମୟରେ ବାରମ୍ବାର ସ୍ୱପ୍ନ ହେଲା, ପରେ ସ୍ୱପ୍ନରେ ଚଣ୍ଡୀ ତାଙ୍କ ସ୍ଥିରିକୃତ ସ୍ଥାନରେ ପୂଜା କରିବାକୁ ନିର୍ଦ୍ଦେଶ ଦେଲେ । ଏହିପରି କ୍ରମାନ୍ୱୟରେ ପାଶ୍ୱର୍ ଦେବାଦେବୀଙ୍କୁ ଚିହ୍ନଟ କରି ପୂଜାର୍ଚ୍ଚନା ଆରମ୍ଭ କଲେ । ପରେପରେ ସମରକଟା ଗ୍ରାମବାସୀଙ୍କ କାନରେ ଏକଥା ପଡ଼ିବା ପରେ ଏକ କମିଟି ଗଠନ କରି ପୂଜାର୍ଚ୍ଚନାରେ ସହଯୋଗ କରିବାକୁ ଚାହିଁଲେ ।
ପ୍ରାରମ୍ଭରେ କାର୍ତ୍ତିକ ପୂର୍ଣ୍ଣର୍ମୀ ଓ ଶିବରାତ୍ରୀ ମେଳା ମହା ଆଡମ୍ବର ସହକାରେ କରାଯାଇଥିଲା । ବର୍ତ୍ତମାନ ଏଇ ପୀଠର ଦାୟିତ୍ୱ ପୂଜକ ପୁରନ୍ଦର ବାହୁକ ଓ କପୁରଚନ ମାଝୀ ନେଇ ଦୈନିକ ପୂଜାର୍ଚ୍ଚନା କରି ଏହି ପୀଠର ମାହାତ୍ମ୍ୟକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛନ୍ତି । ନିକଟସ୍ଥ ଅଂଚଳର ଭକ୍ତମାନେ ବିଭିନ୍ନ ପର୍ବପର୍ବାଣୀ ସମୟରେ ଏବଂ ମାନସିକ ପୂରଣ ପୂର୍ବକ ପୀଠକୁ ସୁଅ ଛୁଟିବାରେ ଲାଗିଛନ୍ତି । ଏପରିକି ପୂର୍ବ ବର୍ଷ ମାନଙ୍କରେ ମାନସିକ କରିଥିବା ଭକ୍ତମାନେ ମାନସିକ ପୂରଣ ହେବା ପରେ ପୀଠକୁ ଆସି ଏହି ପୀଠର ଗୁଣଗାନ କରନ୍ତି, ଯଦ୍ୱାରା ଅନ୍ୟ ଭକ୍ତମାନେ ଏହି ପୀଠକୁ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।
ଗିରିଗୌରୀ ଶୈବପୀଠ କଳାହାଣ୍ଡି ଜିଲ୍ଲା ନର୍ଲା ଅଂଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ହେବ ବୋଲି ଜନମାନସରେ ଆଶା ପ୍ରକଟ କରାଯାଏ ।